ମହାରାଷ୍ଟ୍ର ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ମହାନାଟକରେ ଆଜି ଯବନିକା ପଡିଛି । ପାଖାପାଖି ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଚାଲି ଆସିଥିବା ଏହି ମହାନାଟକର ଅନ୍ତରେ ଶେଷରେ ବିଜୟ ହୋଇଛି ବିଜେପିର । ବିଜେପି ଏଠାରେ ମୁଖ୍ୟମନ୍ତ୍ରୀ କରିଛି । ଗତକାଲି ଶିବସେନା, କଂଗ୍ରେସ ଓ ଏନସିପିର ବୈଠକ ହୋଇଥିଲା । ଅନୁମାନ କରାଯାଉଥିଲା ଶିବସେନା ଏହି ଦୁଇ ଦଳଙ୍କ ସହଯୋଗ ନେଇ ଏଠାରେ ସରକାର ଗଢିବ । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ । ଏନେଇ ମଧ୍ୟ ଘୋଷଣା ହୋଇଥିଲା । ଏନସିପି ମୁଖ୍ୟ ଶରଦ ପାୱାର କହିଥିଲେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ସମର୍ଥନ ମିଳିଛି । ତେବେ ଆଜି ସକାଳେ କିନ୍ତୁ ଏକ ନୂଆ ଘଟଣା ଘଟିଛି । ବିଜେପି ଏନସିପି ସମର୍ଥନରେ ସରକାର ଗଢିଛି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନବିସ । ରାଜ୍ୟପାଳ ଭଗତ ସିଂ ଦେବେନ୍ଦ୍ର ଫଡନବିସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁମ୍ବାଇରେ ଆଜି ସକାଳ ୮ ଟା ବେଳେ ଏହି ଶପଥପାଠ ହୋଇଛି । ସେହିଭଳି ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାୱାର ଶପଥ ନେଇଛନ୍ତି । ଶେଷରେ ସବୁ ସସପେନ୍ସର ଅନ୍ତ ଘଟାଇ ବିଜେପି ଓ ଏନସିପି ମେଣ୍ଟରେ ସରକାର ଗଢା ହୋଇଛି । ପ୍ରଥମେ ବିଜେପି ଓ ଶିବସେନା ମେଣ୍ଟରେ ସରକାର ଗଢା ଯିବ ବୋଲି ଜଣା ପଡିଥିଲା । ମାତ୍ର ପରେ ଏଥିରୁ ବିଜେପି ଓହରି ଯାଇଥିଲା । ଯାହା ପରଠୁ ସରକାର ଗଢିବାକୁ ନେଇ ଆରମ୍ଭ ହୋଇଥିଲା ଛକା ପଞ୍ଝା । ଯାହା ଫଳରେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।