ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ନିଜ ପ୍ରତ୍ୟର୍ପଣର ଲଢେଇ ଲଢୁଥିବା ମଦ୍ୟସମ୍ରାଟ ବିଜୟ ମାଲ୍ୟା ଏବେ ସରକାରଙ୍କୁ ସେ ନେଇଥିବା ୧୦୦ ପ୍ରତିଶତ ଋଣ ସୁଝିବା ପ୍ରସ୍ତାବ ଦେଇଛନ୍ତି । ଏହାସହିତ ତାଙ୍କ ବିରୋଧରେ ସମସ୍ତ ମାମଲା ବନ୍ଦ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଅନ୍ୟପଟେ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା କରୋନା ପ୍ୟାକେଜକୁ ଶୁଭେଚ୍ଛା ଜଣାଇଛନ୍ତି ବିଜୟ ମାଲ୍ୟା ।
ସେ ଟ୍ୱିଟ୍ କରି କହିଛନ୍ତି କି, କୋଭିଡ ୧୯ ପ୍ୟାକେଜ ପାଇଁ ସରକାରଙ୍କୁ ଶୁଭେଚ୍ଛା । ସେ ଯେତେ ଚାହିଁବେ ସେତେ ନୋଟ ଛପେଇ ପାରିବେ । କିନ୍ତୁ କଣ ମୋ ଭଳି ଛୋଟ ଯୋଗଦାନକର୍ତ୍ତାଙ୍କୁ ଅଣଦେଖା କରିବା ଉଚିତ୍ । ମୁଁ ବ୍ୟାଙ୍କଗୁଡିକ ଠାରୁ ନେଇଥିବା ଋଣକୁ ଶତପ୍ରତିଶତ ଫେରାଇବାକୁ ଚାହୁଁଛି । ଏହି ପ୍ରସ୍ତାବକୁ ବିନା କୌଣସି ସର୍ତ୍ତରେ ସରକାର ଗ୍ରହଣ କରନ୍ତୁ ଏବଂ ମୋ ନାଁରେ ଥିବା ସମସ୍ତ ମାମଲାକୁ ବନ୍ଦ କରନ୍ତୁ ।
କିଙ୍ଗଫିସର କମ୍ପାନୀ ମାଲିକ ବିଜୟ ମାଲ୍ୟା ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ଅଛନ୍ତି । ଏବେ ତାଙ୍କୁ ପଳାତକ ଘୋଷିତ କରାଯାଇଛି । ଚଳିତମାସ ଆରମ୍ଭରୁ ମାଲ୍ୟା ଭାରତ ପ୍ରତ୍ୟର୍ପଣ ପାଇଁ ଲଣ୍ଡନ ହାଇକୋର୍ଟର ଆଦେଶ ବିରୋଧରେ ବିଟ୍ରେନ୍ ସୁପ୍ରିମ କୋର୍ଟରେ ଅପିଲ କରିଥିଲେ ।