ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବ ବୋଲି ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆଜି ସକାଳେ ପ୍ରଥମେ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଗୃହମନ୍ତ୍ରୀ ଅମିତ ଶାହା ଏନେଇ ରାଜ୍ୟସଭାରେ ଆଜି ପ୍ରସ୍ତାବ ରଖିଛନ୍ତି । ତେବେ ଏହାକୁ ନେଇ ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ଓ ପିଡିପି ସଦସ୍ୟମାନେ ପୋଷାକ ଚିରି ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି ।
ସୂଚନା ଅନୁସାରେ ଲଦାଖ ଏବଂ ଜମ୍ମୁ ଓ କଶ୍ମୀରକୁ ପୃଥକ୍ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା ଲାଗି ଆଜି ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରସ୍ତାବ ରଖିଛନ୍ତି। ଲଦାଖ ଏବଂ ଜମ୍ମୁ ଓ କଶ୍ମୀର ପାଇଁ ସରକାର ଦୁଇଟି ଭିନ୍ନ ଭିନ୍ନ ବିଧାନସଭା କରିବାକୁ ସରକାର ପ୍ରସ୍ତାବ ଦେଇଥିବା ସେ ପ୍ରକାଶ କରିଛନ୍ତି । ଲଦାଖକୁ ବିନା ବିଧାନସଭାରେ ଏକ କେନ୍ଦ୍ରଶାସିତ ପ୍ରଦେଶର ମାନ୍ୟତା ପ୍ରସ୍ତାବ ରଖିଛନ୍ତି । ସରକାର ଜମ୍ମୁ-କାଶ୍ମୀରର ପୁର୍ନଗଠନ ପାଇଁ ଗୃହରେ ପ୍ରସ୍ତାବ ଆଣିଛନ୍ତି । ଅମିତ ଶାହା ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି, ନିଜସ୍ୱ ଆଶା ଆଙ୍କାକ୍ଷା ପୂରଣ ପାଇଁ ନିମନ୍ତେ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ପାହ୍ୟା ମିଳୁ ବୋଲି ବହୁ ଦିନରୁ ଲଦାଖବାସୀ ଦାବି କରି ଆସୁଛନ୍ତି ।
ଜମ୍ମୁକାଶ୍ମୀରରେ ନିରାପତ୍ତା କୁ ଦୃଷ୍ଟିରେ ରଖି ସେଠାରେ କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରାଯିବ। ଅନୁଛେଦ ୩୭୦ ଏକ ସାମୟିକ ବ୍ୟବସ୍ଥା ହୋଇଥିବାରୁ ଏବେ ଏହାକୁ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ଅନୁଛେଦ ୩୭୦ ହଟିଲେ କଶ୍ମୀରରୁ ଲଦାଖ ଅଲଗା ହେବ। ଏହାପରେ କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ରାଜ୍ୟ ହେବ। ସୂଚନାଯୋଗ୍ୟ, ଗତ ସପ୍ତାହରୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ଗତକାଲି କଶ୍ମୀରରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଜମ୍ମୁ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି।