ମୁମ୍ବାଇ(ଏଟିଆର ବ୍ୟୁରୋ): ମୁମ୍ବାଇ ସହର ସର୍ବଦା ଅଣ୍ଡର ୱାର୍ଲଡ ଡନ ମାନଙ୍କୁ ନେଇ ଚର୍ଚ୍ଚାରେ ରହିଆସିଛି । ତେବେ ଆଜି ମୁମ୍ବାଇର ପୋଲିସ କମିଶନର ସଞ୍ଜୟ ବର୍ବେ ଅବସର ଗ୍ରହଣ କରିଛନ୍ତି । ବର୍ବେଙ୍କ ସ୍ଥାନରେ ୧୯୮୮ ମସିହାର ଆଇପିଏସ ଅଫିସର ପରମବୀର ସିଂହ ଦାୟିତ୍ୱ ଗ୍ରହଣ କରିବେ । ପରମବୀରଙ୍କ ଅଣ୍ଡର ୱାର୍ଲଡ ନେଟୱର୍କ ସମ୍ପର୍କରେ ଗଭୀର ଧାରଣା ରହିଛି । ପରମବୀର ମାଲେଗାଁଓ ବିସ୍ଫୋରଣ ମାମଲାରେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଗିରଫ ଘଟଣାରେ ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ସେ ଏଟିଏସର ଡିଆଇଜି ଥିଲେ ।
୯୦ ଦଶକରେ ମୁମ୍ବାଇରେ ତିଆରି ହୋଇଥିବା ସ୍ପେଶାଲ ଅପରେସନ ସ୍କ୍ୱାର୍ଡର ପରମବୀର ଡିସିପି ଭାବେ କାର୍ଯ୍ୟ କରିଛନ୍ତି । ୧୯୯୩ର ସିରିଜ ବୋମା ବିସ୍ଫୋରଣର ଦୋଷୀକୁ ପରମବୀର ଗିରଫ କରିଥିଲେ।ସେପ୍ଚେମ୍ୱର ୨୦୧୭ରେ ଅଣ୍ଡରଓ୍ୱାର୍ଲଡ ଡନ୍ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକର ଗିରଫ ହେବା ବେଳେ ଥାନେର ପୁଲିସ କମିଶନର ଥିଲେ ପରମବୀର ସିଂହ। ପରମବୀର ନିଜ କ୍ୟାରିୟରରେ ବହୁ ସମୟ ଅଣ୍ଡର ୱାର୍ଲଡ ଅପରେସନରେ ସେ ବିତାଇଛନ୍ତି । ମୁମ୍ବାଇରେ ପରମବୀର କମିଶନର ଭାବେ ଯୋଗ ଦେବା ପରେ ଅଣ୍ଡର ୱାର୍ଲଡ ନେଟୱର୍କ ଭାଙ୍ଗି ଯିବ ବୋଲି ଆଶା କରାଯାଉଛି ।