ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ସବୁ ରାଜନୈତିକ ଦଳ ସେମାନଙ୍କ ପ୍ରଚାର ଆରମ୍ଭ କରି ସାରିଲେଣି । ଏହି ଅବସରରେ ବିଜେପି ପକ୍ଷରୁ ଆଜି ଦିଲ୍ଲୀର କଡକଡଡୁମାରୁ ପ୍ରଥମ ରାଲି ଆରମ୍ଭ କରୁଛନ୍ତି । ଆଜି ଏଠାରେ ମୋଦି ରାଲିରେ ଯୋଗ ଦେବା ସହିତ ଭୋଟରଙ୍କୁ ଉଦବୋଧନ ଦେବେ ।ସୂଚନା ଅନୁସାରେ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ରାଜନୈତିକ ଦଳମାନେ ରାଲିର ଆୟୋଜନ କରିବେ । ସେହିଭଳି ଆସନ୍ତାକାଲି ମଧ୍ୟ ବିଜେପି ପକ୍ଷରୁ ଏକ ରାଲି କରାଯିବାର କାର୍ଯ୍ୟକ୍ରମ ରହିଛି ।
ଏହି ନିକଟରେ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ରାଲି ଭୋଟରଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଦଳ ଆଶା ପ୍ରକଟ କରିଛି । ପ୍ରଧାନମନ୍ତ୍ରୀଙ୍କ ରାଲି ନେଇ କଡକଡଡୁମାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ସୂଚନା ଅନୁସାରେ ଦିଲ୍ଲୀ ଉତ୍ତର ଓ ପୂର୍ବ ଲୋକସଭାରୁ ୨୦ ଟି ବିଧାନସଭାର ପ୍ରାର୍ଥୀ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ମାନେ ଦିଲ୍ଲୀରେ ବିଭିନ୍ନ ବିଧାନସଭା ଆସନ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଆସନ୍ତା ଫେବୃଆରୀ ୮ ତାରିଖରେ ଦିଲ୍ଲୀର ସମସ୍ତ ୭୦ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସେହିଭଳି ଫେବୃଆରୀ ୧୧ ରେ ଭୋଟ ଗଣତି ହେବ ।