ଗୌହାଟି(ଏଟିଆର ବ୍ୟୁରୋ): ଗତ ଜାନୁଆରି ୨୭ ତାରିଖ ଦିନ କେନ୍ଦ୍ରସରକାର, ଆସାମ ସାକାର ଓ ଉଗ୍ରବାଦ ସଂଗଠନ ନ୍ୟାସନାଲ ଡେମକ୍ରାଟିକ୍ ପ୍ରଣ୍ଟ ଅଫ୍ ବୋଡୋଲ୍ୟାଣ୍ଡ ମଧ୍ୟରେ ଏକ ତ୍ରିସ୍ତରୀୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତେବେ ଏହି ଚୁକ୍ତି ପରେ ଆଜି ବୋଡୋ ସଂଗଠନର ୧୬୧୫ କ୍ୟାଡର ଆତ୍ମସମର୍ପଣ କରିଛନ୍ତି । ଆଜି ଏକ ସଭାରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନୋୱଲସ ଅର୍ଥମନ୍ତ୍ରୀ ଏବଂ ନର୍ଥ- ଇଷ୍ଟ ଡମୋକ୍ରୋଟିକ ଆଲାଏନ୍ସର ଆବାହକ ହିମନ୍ତ ବିଶ୍ୱ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏନଡିଏଫବିର ୧୬୧୫ କ୍ୟାଡର ୧୭୮ଟି ଅସ୍ତ୍ରଶସ୍ତ୍ର ଧରି ଆତ୍ମସମର୍ପଣ କରିଥିଲେ ।
ଏହି ଅସ୍ତ୍ରଶସ୍ତ୍ର ମଧ୍ୟରେ ୪୮୦୩ ରାଉଣ୍ଡ ବୋମା, ୧୪ଟି ଗ୍ରେନେଡ, ସିରିଜ ରାଇଫଲ, ଏମ-୧୬ ରାଇଫଲ, ଗୋଟିଏ ଦୁଇ ଇଞ୍ଚର ମୋରଟର ରହିଛି । ସୂଚନା ଯୋଗ୍ୟ ଚୁକ୍ତି ଅନୁସାରେ ବୋଡୋ ଲୋକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୧୫୦୦ କୋଟି ଟଙ୍କା ନିବେଶ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଥିଲେ । ଆତ୍ମସମର୍ପଣ କରିଥିବା ଉଗ୍ରବାଦୀଙ୍କ ମଧ୍ୟରୁ ଯାହାର ରେକର୍ଡ ସ୍ୱଚ୍ଛ ଥିବ ତାଙ୍କୁ ଅର୍ଦ୍ଧସାମରିକ ବାହିନୀରେ ସୁଯୋଗ ମିଳିବ । ଏହା ସହ ବୋଡୋ ଆନ୍ଦୋଳନରେ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମିଳିବ । ଅନ୍ୟପଟେ ବୋଡୋ ଲୋକଙ୍କୁ ପାର୍ବତ୍ୟ ଆଦିବାସୀ ମାନ୍ୟତା ଦିଆଯିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ଅମିତ ଶାହା କହିଥିଲେ ।