ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବିବାହ କଲେ ସରକାର ଦେବେ ୧୦ ଗ୍ରାମ ସୁନା ଉପହାର । କଥାଟା ଆପଣଙ୍କୁ ଅବିଶ୍ୱାସ ଲାଗୁଥିବ ନିଶ୍ଚୟ । ମାତ୍ର ଏହା ସତ । ଏମିତି ଏକ ଅଭିନବ ଯୋଜନା ଆଣୁଛନ୍ତି ଆସାମ ସରକାର । ବିବାହ କରୁଥିବା ଆସାମ ଯୁବତୀ ମାନଙ୍କୁ ସରକାର ୧୦ ଗ୍ରାମ ସୁନା ଦେବାକୁ ଘୋଷଣା କରିଛନ୍ତି । ଏହି ଯୋଜନାର ନାମ ରଖାଯାଇଛି ‘ଅରୁନ୍ଧତୀ ସ୍ୱର୍ଣ୍ଣ ଯୋଜନା” । ଏହି ଯୋଜନାଟି ଆସନ୍ତାକାଲି ଠାରୁ ଲାଗୁ ହେବାକୁ ଯାଉଛି ।
ତେବେ ଏହି ଯୋଜନାରେ ଉପକୃତ ହେବାକୁ ହେଲେ ପ୍ରଥମେ ଆସାମ ସ୍ପେସାଲ ମ୍ୟାରେଜ ୧୯୫୪ ଅନୁସାରେ ବିବାହ ପଞ୍ଜୀକରଣ କରିବାକୁ ପଡିବ । ଯେଉଁ ପରିବାରର ବାର୍ଷିକ ଆୟ ୫ ଲକ୍ଷରୁ କମ ରହିଥିବ ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ସେହିଭଳି ଶିକ୍ଷାଗତ ଯୋଗ୍ୟତାକୁ ୧୦ମ ଶ୍ରେଣୀ ରଖାଯାଇଛି । ଏହି ସର୍ତ୍ତରେ ବିବାହ କରୁଥିବା ଯୁବତୀମାନଙ୍କୁ ସରକାର ୧୦ ଗ୍ରାମର ସୁନା ଉପହାର ଦେବେ । ବିବାହ ପାଇଁ ନିର୍ଦ୍ଧିଷ୍ଟ ବୟସ ସୀମା ମଧ୍ୟ ନିର୍ଣ୍ଣୟ କରାଯାଇଛି । କନ୍ୟାର ବୟସ ୧୮ ବର୍ଷରୁ ଉର୍ଦ୍ଧ ଏବଂ ବରର ବୟସ ୨୧ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଦ୍ୱିତୀୟ ବିବାହ କ୍ଷେତ୍ରରେ ଏହା ପ୍ରଯୁର୍ଯ୍ୟ ନୁହେଁ । ସରକାର ସିଧାସଳଖ ସୁନା ନଦେଇ ୧୦ ଗ୍ରାମ ସୁନା ମୂଲ୍ୟର ଟଙ୍କା କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ କରିବେ ।