ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଶେଷ ହେବାର ଗୋଟେ ଦିନ ପୂର୍ବରୁ ନୂତନ ଗାଇଡ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଜୁନ୍ ୧ ରୁ ଆରମ୍ଭ ହୋଇଯିବ ଲକ୍ ଡାଉନ୍ ୫ର ଅନଲକ୍ ୧ । ଏହାରି ମଧ୍ୟରେ ଭାରତୀୟ ରେଲୱେ ପକ୍ଷରୁ ଜୁନ୍ ୧ରୁ ଚାଲିବାକୁ ଥିବା ୨୦୦ ଟ୍ରେନ୍ ଏବଂ ପୂର୍ବରୁ ଚାଲୁଥିବା ୩୦ ଟି ଟ୍ରେନ୍ ରେ ଅଗ୍ରିମ ଟିକେଟ ବୁକିଂ ରେ ନୂତନ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ୍ ପାଇଁ ବୁକିଂ ନିୟମରେ ସହଜ କରିବା ସହିତ ଚାରି ମାସ ପୂର୍ବରୁ ଅଗ୍ରିମ ଟିକେଟ ବୁକିଂ ଆରମ୍ଭ କରି ଦେଇଛି ରେଲୱେ । ଏହାସହିତ ଏବେ ତକ୍ରାଳ କୋଟା ଅନୁଯାୟୀ ବି ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି ।
ଲକ ଡାଉନ୍ ୪ ମଧ୍ୟରେ ରେଲୱେ ର ଗାଇଡଲାଇନ୍ ରେ ୩୦ ଦିନ ପୂର୍ବରୁ ଟିକେଟ ବୁକିଂ ର ସୁବିଧା ଥିଲା । କିନ୍ତୁ ଏବେ ଏହାକୁ ବୃଦ୍ଧି କରାଯାଇ ୪ ମାସ କରି ଦିଆଯାଇଛି । ୨୩୦ ଟି ସ୍ପେଶାଲ ଟ୍ରେନ୍ ରେ ଯାତ୍ରୀଙ୍କ ପାଇଁ ଅନଲାଇନ୍ ଟିକେଟ ବୁକିଂ କରିବା ସହିତ ଦେଶରେ ଦୁଇ ଲକ୍ଷରର ଅଧିକ କମନ୍ ସର୍ଭିସ ସେଣ୍ଟର, ଯାତ୍ରୀ ସୁବିଧା କେନ୍ଦ୍ର ଏବଂ ପୋଷ୍ଟ ଅଫିସ୍ ରେ ଟିକେଟ ବୁକିଂ ସୁବିଧା ଉପଲବ୍ଧ ।
ଏଣିକି ଟ୍ରେନ୍ ରେ ସିଟ୍ ଖାଲି ରହିବା ଦ୍ୱାରା ଷ୍ଟେସନରୁ ତକ୍ରାଳ ସିଟ୍ ବୁକିଂ ର ସୁବିଧା ଯାତ୍ରୀଙ୍କୁ ମିଳିବ । ଏହାପୂର୍ବରୁ ଏଭଳି ସୁବିଧା ନଥିଲା । ଏହାସହିତ କରୋନା ପାଇଁ ପାର୍ସଲ ଭ୍ୟାନ୍ ଯାଉନଥିଲା । ଏବେ ଏହି କୋଚ୍ ବି ଟ୍ରେନ୍ ରେ ଯୋଡାଯିବ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକେଟ ଯାଞ୍ଚ କରୁଥିବା କର୍ମଚାରୀଙ୍କ ନିମୟରେ ବି ପରିବର୍ତ୍ତନ କରାଯାଇଛି । ସେମାନେ ମାସ୍କ ବା ଫେସ ସିଲ୍ଡ ଲଗାଇବା ବାଧ୍ୟତାମୂଳକ । ସବୁଠାରୁ ବଡ କଥା ହେଲା କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ହିଁ ଯାତ୍ରା ପାଇଁ ଅନୁମତି ମିଳିବ ।