ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ସେଇ ଗୋଟିଏ କଥା ଆସିଥିବା ନୂଆ ଭେଇକିଲ ଆକ୍ଟ । ଯାହାକୁ ନେଇ ଏବେ ଗାଡି ଚାଳକଙ୍କ ଛାତି ଧୁକଧୁକ । ଘରୁ ଗାଡି କାଢିବା ପୂର୍ବରୁ ଚାଳକକୁ ଭାବିବାକୁ ପଡୁଛି ୧୦ ଥର । ତେବେ ଏହି ଭିତରେ ଅନେକ ଘଟଣା ସାମ୍ନାକୁ ଆସିଛି କେଉଁଠି ଅଟୋ ଚାଳକଙ୍କୁ ୪୭ ହଜାର ଟଙ୍କା ଜରିମାନା ହୋଇଛି ତ ଆଉ କେଉଁଠି ସ୍କୁଟି ଉପରେ ହୋଇଛି ୨୫ ହଜାର ଟଙ୍କା ।
ଯାହାକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଯଦି ସାଧାରଣ ଲୋକେ ଏତେ ଟଙ୍କା ଫାଇନ ଦେଉଛନ୍ତି ତ ପୋଲିସ ଓ ଟ୍ରାଫିକ କର୍ମଚାରୀ ନିୟମ ଉଲ୍ଲଘଂନ କଲେ କେତେ ଟଙ୍କା ଦେବେ? ତେବେ ଏନେଇ ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ନିଆ ଯାଇଛି ଏକ କଡା ପଦକ୍ଷେପ । ଡିୟୁଟି ସମୟରେ ହେଉ ଅବା ଡିୟୁଟି ବହାରେ ଯଦି ଜଣେ ପୋଲିସ କର୍ମଚାରୀ ନିୟମ ଉଲ୍ଲଘଂନ କରି ଧରା ପଡନ୍ତି ତେବେ ତାଙ୍କ ଉପରେ ଦୁଇଗୁଣା ଫାଇନ ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି । ନିଜ ପ୍ରାଇଭେଟ ଗାଡି ମଧ୍ୟ ଧରା ପଡିଲେ ଦୁଇଗୁଣା ଫାଇନ ଦେବେ । ଦିଲ୍ଲୀ ଜଏଣ୍ଟ ଟ୍ରାଫିକ କମିଶନର ମିନୁ ଚୌଧୁରୀ ଏହି ନିର୍ଦେଶ ଦେଇଛନ୍ତି । ଏନେଇ ସମସ୍ତ ଥାନାକୁ ମଧ୍ୟ ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଛି ।