ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଧାର କେନ୍ଦ୍ରରେ ଆଧାର କାର୍ଡ ଅପଡେଟ୍ କରିବା ପାଇଁ ପ୍ରଥମରୁ ଅନଲାଇନ୍ ଅପଏଣ୍ଟମେଣ୍ଟ ନେବାକୁ ପଡିବ । ଆଜ୍ଞ ହଁ ଆଧାର ଜାରି କରିଥିବା ସଂସ୍ଥା ୟୁନିକ ଆଇଡେଣ୍ଟିଫିକେସନ ଅଇରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏବେ ଦେଶର କିଛି ସହରରେ ଆଧାର ସେବା କେନ୍ଦ୍ର ଆରମ୍ଭ ହୋଇଯାଇଛି । ଯେଉଁଠି ଲୋକମାନଙ୍କୁ ଆଧାର ସହ ଜଡିତ ସେବା ଯୋଗାଇ ଦିଆଯାଉଛି ।
ୟୁଆଇଡିଏଆଇ ପକ୍ଷରୁ ଦିଲ୍ଲୀ, ଚେନ୍ନାଇ, ଭୋପାଲ,ଆଗ୍ରା, ହିସାର,ବିଜୟୱାଡା ଏବଂ ଚଣ୍ଡିଗଡରେ ଆଧାର ସେବା କେନ୍ଦ୍ର ଆରମ୍ଭ କରାଯାଇଛି । ଏହାସହିତ ପାଟଣା ଏବଂ ଗୌହାଟିରେ ମଧ୍ୟ ଏହି ସେବା କେନ୍ଦ୍ର ଖୋଲାଯାଇଛି ।
ଏନେଇ ସିଇଓ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି , ଖୁବ୍ ଶୀଘ୍ର ୟୁଆଇଡିଏଆଇ ଦେଶର ୫୩ ଟି ସହରରେ ୧୧୪ ସେବା କେନ୍ଦ୍ର ଖୋଲିବାକୁ ଯାଉଛି । ଏହି ସମସ୍ତ ସେବା କେନ୍ଦ୍ର ଚଳିତ ବର୍ଷ ଶେଷ ଆଡକୁ କାର୍ଯ୍ୟ କରିବ ।
ଏହି ସେବା କେନ୍ଦ୍ରରେ ନୂତନ ଆଧାରକାର୍ଡ ତିଆରିକରିବା, ଠିକଣା, ନାଁ , ଜନ୍ମତିଥି,ଇମେଲ ଆଇଡି, ଜେଣ୍ଡର , ବାୟମେଟ୍ରିକ ଆଦି ଅପଡେଟ୍ କରାଯାଉଛି ।
ଯେପରି ପାସପୋର୍ଟ ପାଇଁ ଲୋକେ ପୂର୍ବରୁ ସମୟ ଏବଂ ତିଥିକୁ ବୁକ୍ କରୁଥିଲେ, ଠିକ୍ ସେହିପରି ଆଧାର ସେବା କେନ୍ଦ୍ର ପାଇଁ ପ୍ରଥମରୁ ଅନଲାଇନ୍ ଯୋଗେ ଆପଏଣ୍ଟମେଣ୍ଟ ନେବାକୁ ପଡିବ । ଏହି ସେବା କେନ୍ଦ୍ରରେ ୮ ରୁ ୧୬ ଟି କାଉଣ୍ଟର , ୱେଟିଂ ଏରିଆରେ ୪୦ ରୁ ୮୦ ସିଟ୍ ଏବଂ ଇଲୋକ୍ଟ୍ରନିକ ଟୋକନ ସିଷ୍ଟମ ଭଳି ସୁବିଧା ରହିଛି ।
ସେଥିପାଇଁ ଆପଣ ୟୁଆଇଡିଏଆଇ ର ୱେବସାଇଟ https://uidai.gov.in/ କୁ ଯାଇ ଆଧାର ଟ୍ୟାବକୁ କ୍ଲିକ କରନ୍ତୁ । ଏହାପରେ ସେଠାରେ ବୁକ୍ ଅପଏଣ୍ଟମେଣ୍ଟ ଟ୍ୟାବରେ କ୍ଲିକ କରନ୍ତୁ । ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । ମାତ୍ର କୌଣସି ସେବାକୁ ଅପଡେଟ କରିବା ପାଇଁ ୫୦ ଟଙ୍କା ଫି ଦେବାକୁ ପଡିବ ।