ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ଆରଏସଏସକୁ ଶକ୍ତ ଝଟକା । ସଂକଳ୍ପ ରଥଯାତ୍ରାରେ ବହୁ କଷ୍ଟରେ ସାମିଲ ହେଲେ ଶହେ ଜଣ । ଫଳରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଆଶା ବାନ୍ଧିଥିବା ଏହି ଅଭିଯାନକୁ ବଡ ଧକ୍କା ଲାଗିଛି ।
ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ମନ୍ଦିର ନିର୍ମାଣ ପାଇଁ ଚାଲିଛି ଜୋରଦାର ବିକ୍ଷୋଭ । ଏହି କ୍ରମରେ ନିଜକୁ ସାମିଲ କରିଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସ । ଏନେଇ ମୋଦି ସରକାର ଅଧ୍ୟାଦେଶ ଆଣିବାକୁ ବି ଦାବୀ ହେଉଛି । ତେବେ ଆରଏସଏସ ତରଫରୁ ଏହାକୁ ନେଇ ଆରମ୍ଭ ହୋଇଛି ସଂକଳ୍ପ ରଥଯାତ୍ରା । ଯାହାକୁ ଡିସେମ୍ବର ୧ ତାରିଖରେ ଦିଲ୍ଲୀର ଝଂଡେୱାଲାନ ମନ୍ଦିର ନିକଟରୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ୯ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଯାତ୍ରା ଆଗାମୀ ଡିସେମ୍ବର ୯ ତାରିଖରେ ଦିଲ୍ଲୀର ରାମଲୀଲା ମୈଦାନରେ ଶେଷ ହେବ । ଆରଏସଏସ ସହ ଯୋଡି ହୋଇଥିବା ସ୍ୱଦେଶୀ ଜାଗରଣ ମଂଚ ଏହାର ସଂପୂର୍ଣ୍ଣ ଆୟୋଜନ କରିଥିବା ବେଳେ ଏହି ଯାତ୍ରାରେ ଭିଡ ଦେଖିବାକୁ ମିଳି ନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।
ଆରଏସଏସ ତରଫରୁ ଏହି ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଥିବା ବେଳେ ମାତ୍ର ଶହେ ଲୋକ ଏଥିରେ ସାମିଲ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏପରିକି ଏହି ଶହେ ଜଣ ବି ବହୁ କଷ୍ଟରେ ଯୋଗାଡ ହୋଇଥିବା କୁହାଯାଇଛି । ଅବଶ୍ୟ ଏହାକୁ ଖଣ୍ଡନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଇଛି । ସ୍ୱଦେଶୀ ଜାଗରଣ ମଂଚର ସହ ସଂଯୋଜକ କମଲ ତିୱାରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ଯାତ୍ରାରେ ସାମିଲ ହୋଇଥିବା ଲୋକ ହେଉଛନ୍ତିି ଏକ ନିର୍ଦ୍ଦିଷ୍ଟ ଶାଖାର କାର୍ଯ୍ୟକର୍ତ୍ତା । ଏଥିରେ ଧିରେ ଧିରେ ଲୋକଙ୍କ ସମାଗମ ହେବ ବୋଲି ସେ କହିଛନ୍ତି । ଏହାସହ ଯାତ୍ରାର ଶେଷ ଦିନରେ ଅର୍ଥାତ ଡିସେମ୍ବର ୯ରେ ଦିଲ୍ଲୀର ରାମଲୀଳା ମୈଦାନରେ ୬ରୁ ୮ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ସେ ଆଶା ରଖିଥିବା କହିଛନ୍ତି କମଲ ତିୱାରୀ ।
ସବୁଠୁ ବଡ କଥା ହେଉଛି ଆଗାମୀ ୨୦୧୯ ନିର୍ବାଚନ ପୂର୍ବରୁ ପୁଣିଥରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଏକ ମୁଦ୍ଦାରେ ପରିଣତ ହୋଇ ଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରରୁ ଏନେଇ ଦାବୀ ଓ ସ୍ୱର ଉଠିଲାଣି । ଏହାକୁ ନଜରରେ ରଖି ଆରଏଏସ ଓ ବିଶ୍ୱ ହିନ୍ଦୁ ପରିଷଦ ଭଳି ହିନ୍ଦୁ ସଂଗଠନ ଗୁଡିକ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି । ସରକାରରେ ଆସିଲେ ରାମ ମନ୍ଦିର ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ଏନଡିଏ ସରକାରକୁ ନିଜର ପ୍ରତିଶ୍ରୁତି ମନେ ପକାଇ ଦେଇଛନ୍ତି ସଂଗଠନ ଗୁଡିକ । ତେବେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗରେ ରାୟ ଶୁଣାଇ ନଥିବା ବେଳେ ସଂସଦର ଆସନ୍ତା ଶୀତ ଅଧିବେସନରେ ରାମ ମନ୍ଦିର ନିର୍ମାଣ ନେଇ ଅଧ୍ୟାଦେଶ ଆଣିବାକୁ ଦାବୀ ଜୋର ଧରିଛି ।