ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପାକିସ୍ତାନ ବାୟୁସୀମା ଉପର ଦେଇ ଏଣିକି ଉଡିବ ଭାରତୀୟ ବିମାନ ! ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ନିଜ ବାୟୁସୀମାକୁ ବନ୍ଦ ରଖିଥିଲା । ତେବେ ଏହା ଉପରୁ ରୋକ ଉଠାଇଛି ପାକିସ୍ତାନ । ଏଣିକି ପାକିସ୍ତାନ ବାୟୁସୀମା ଉପର ଦେଇ ଭାରତୀୟ ନାଗରିକ ଯାତ୍ରା କରି ପାରିବେ । ତେବେ ପାକିସ୍ତାନର ଏହି ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ବହୁ ଉପକୃତ ହେବ ବୋଲି ଜଣାପଡିଛି ।
ପୂର୍ବରୁ ପାକିସ୍ତାନ ତାର ବାୟୁସୀମା ବନ୍ଦ ରଖିବା କାରଣରୁ ଏୟାର ଇଣ୍ଡିଆର ବହୁତ ବିମାନ ତାଙ୍କ ଟ୍ରାଫିକ ରୁଟ ବଦଳାଇ ଥିଲେ । ସୁତ୍ର ମୁତାବକ ପାକିସ୍ତାନ ସମସ୍ତ ଏୟାର ଲାଇନ୍ସକୁ ଆଜି ୧୨ ଟା ୪୧ ପରେ ନିଜ ଆକାଶ ମାର୍ଗ ଦେଇ ଯିବାକୁ ଅନୁମତି ଦେବ ! ସୂଚନାଯୋଗ୍ୟ ଗତ ୨୬ ଫେବୃଆରୀ ମାସରେ ପୁଲୱମା ହମଲାର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା ।
ଯାହାର ପ୍ରତିବାଦରେ ପାକିସ୍ତାନ ଭାରତ ପାଇଁ ନିଜ ବାୟୁସୀମା ବନ୍ଦ ରଖିଥିଲା । ଏଥି ପାଇଁ ଭାରତୀୟ ବିମାନ କମ୍ପାନୀର ୫୪୮ କୋଟି ଟଙ୍କା କ୍ଷତି ହୋଇଥିଲା । ଖାଲି ଭାରତ ନୁହେଁ ପାକିସ୍ତାନକୁ ମଧ୍ୟ ଏଥି ପାଇଁ ବହୁତ କ୍ଷତି ସହିବାକୁ ପଡୁଥିଲା । ସୂଚନା ମୁତାବକ ପାକ୍ କୁ ଗୋଟିଏ ଫ୍ଲାଇଟ୍ ପାଇଁ ୫୦୦ ଡଲାର ମିଳୁଥିବା ବେଳେ ଏୟାରସ୍ପେଶ୍ ବନ୍ଦ ହେବା କାରଣରୁ ଟଙ୍କା ମିଳିବା ମଧ୍ୟ ବନ୍ଦ ହୋଇଯାଇଥିଲା ।