ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏଥିପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା ହୋଇଛି । । ମାତ୍ର କେବଳ କିଛି ଜରୁରୀ ସେବା ଜାରି ରହିଛି । ଲକ୍ ଡାଉନ୍ ଅବସରରେ ଲୋକଙ୍କୁ ଅନଲାଇନ୍ ଯୋଗେ ଖାଦ୍ୟ ମଧ୍ୟ ଡେଲିଭରୀ କରାଯାଉଛି । ଇତି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ପ୍ରକୃତରେ ଦକ୍ଷୀଣ ଦିଲ୍ଲୀର ଜଣେ ୧୯ ବର୍ଷିୟ ପିଜା ଡେଲିଭରୀ ବୟକୁ କରୋନା ପଜେଟିଭ୍ ଚିହ୍ନଟ କରାଯାଇଛି ।
ଏହି ଖବର ପ୍ରକାଶ ପାଇବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ସେହି ଡେଲିଭରୀ ବୟ ଅପ୍ରେଲ ୧୨ ପର୍ଯ୍ୟନ୍ତ ଲୋକଙ୍କ ଘର ମାନଙ୍କରେ ପିଜା ଡେଲିଭରୀ କରିଛି । ଗତ ୧୫ ଦିନ ମଧ୍ୟରେ ସେ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ୭୨ ପରିବାରକୁ ପିଜା ଡେଲିଭରୀ କରିଛି । ସେଥିପାଇଁ ସେହି ସମସ୍ତ ୭୨ ପରିବାରଙ୍କୁ ସେମାନଙ୍କ ଘରେ କ୍ୱାରେଣ୍ଟାଇନ୍ କରାଯାଇଛି । ଏହା ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି ।
ସେହି ଡେଲିଭରୀ ବୟଙ୍କ କରୋନା ପଜିଟିଭ୍ ବାହାରିବା ପରେ ତାଙ୍କୁ ଚିକିତ୍ସା ପାଇଁ ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ହେଉଛି । ମାତ୍ର ତାଙ୍କ ସଂଶ୍ପର୍ଷରେ ଯେଉଁ ୭୨ ପରିବାର ଆସିଛନ୍ତି ସେମାନଙ୍କର ଏପର୍ଯ୍ୟନ୍ତ ନମୁନା ପରୀକ୍ଷା ହୋଇ ନାହିଁ ।