ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ । ପ୍ରତ୍ୟେକ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ବାରମ୍ବାର ସରକାରଙ୍କ ପକ୍ଷରୁ ସର୍ତକ ମଧ୍ୟ କରାଯାଉଛି । ସେଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ମାସ୍କ ଉପଲବ୍ଧ ରହିଛି । କିନ୍ତୁ ଆପଣ ସୁନା ମାସ୍କ ବିଷୟରେ ଜାଣିଛନ୍ତି କି । ଆଜ୍ଞା ହଁ କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ମହାରାଷ୍ଟ୍ର ପୁଣେର ପିମ୍ପରୀ ଚିଞ୍ଚୱାଡାରେ ରହୁଥିବା ଶଙ୍କର କୁରାଡ ନାମକ ଜଣେ ବ୍ୟକ୍ତି ତାଙ୍କ ପାଇଁ ଏକ ସୁନା ମାସ୍କ ତିଆରି କରିଛନ୍ତି । ଯାହାର ଦାମ୍ ରହିଛି ୨ ଲକ୍ଷ ୮୯ ହଜାର ଟଙ୍କା ।
ଏହି ମାସ୍କକୁ ନେଇ ଶଙ୍କର କହିଛନ୍ତି କି, ଏହା ଏକ ପତଳା ମାସ୍କ, ଯେଉଁଥିରେ ଛୋଟ ଛୋଟ କଣା ରହିଛି । ଯାହାଦ୍ୱାରା ନିଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ । ମୁଁ ଜାଣିନି ଏହି ମାସ୍କ କୋଭିଡ୧୯ ରୁ ରକ୍ଷା କରିବା ପାଇଁ କେତେ ସହାୟକ ହେବ ।
ସେ ଆହୁରି ମଧ୍ୟ କହିଛନ୍ତି କି, କୋଲାହାପୁରରେ ଜଣେ ବ୍ୟକ୍ତିଙ୍କୁ ଚାନ୍ଦିର ମାସ୍କ ପିନ୍ଧିଥିବାର ମୁଁ ଟିଭିରେ ଦେଖିଥିଲି । ଏହାପରେ ମୁଁ ସୁନାର ମାସ୍କ ତିଆରି କରିବା ଲାଗି ବିଚାର କଲି । ଏନେଇ ମୁଁ ମୋ ବଣିଆ ସହ କଥା ହେଲି ଏବଂ ଗୋଟେ ସପ୍ତାହ ଭିତରେ ସେ ସୁନା ମାସ୍କ ତିଆରି କରିଦେଇଥିଲେ ।
ସୁନା ଶଉକ ଶଙ୍କର ନିଜ ଶରୀରରେ ପାଖାପାଖି ୩ କିଲୋଗ୍ରାମର ସୁନା ପିନ୍ଧିଛନ୍ତି । ସେ ତାଙ୍କ ବେକରେ ଏକ ମୋଟା ଚେନ୍, ହାତର ଦଶଟା ଅଙ୍ଗୁଳିରେ ମୁଦି ଏବଂ ବ୍ରେସଲେଟ ପିନ୍ଧିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି କି ଶଙ୍କର ଖୁବ୍ ସୁନା ପ୍ରିୟ । ପିଲାଦିନରୁ ହିଁ ଶଙ୍କରଙ୍କର ସୁନା ପ୍ରତି ଶଉକ ରହିଛି ।