ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ କ୍ୟାବିନେଟ୍ ସଂପ୍ରସାରଣ କରିଛନ୍ତି । ରବିବାର ରାଜଭବନରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ଜେଡୁୟୁର ଆଠ ଜଣ ନେତାଙ୍କୁ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରାଇଛନ୍ତି ।
ଶପଥ ଗ୍ରହଣ କରିଥିବା ନେତାଙ୍କ ମଧ୍ୟରେ ଶ୍ୟାମ ରଜକ, ଅଶୋକ ଚୌଧୁରୀ, ନରେନ୍ଦ୍ର ନାରାୟଣ ଯାଦବ,ସଞ୍ଜୟ ଝା, ରାମସେବକ ସିଂ କୁଶବାହା,ନୀରଜ କୁମାର, ଲକ୍ଷେ୍ମଶ୍ୱର ରାୟ ଏବଂ ଏକମାତ୍ର ମହିଳା ବିମା ଭାରତୀ ସାମିଲ ଅଛନ୍ତି ।
ବର୍ଷ ୨୦୧୫ରେ ଆରଜେଡି,କଂଗ୍ରେସ,ଜେଡିୟୁ ଗଠବନ୍ଧନ ସରକାର ହେବା ସମୟରେ ଶ୍ୟାମ ରଜକ ଏବଂ ନରେନ୍ଦ୍ର ନାରାୟଣ ଯାଦବଙ୍କୁ ମନ୍ତ୍ରୀ ପଦ ଦିଆଯାଇନଥିଲା । ସେହି ସମୟରେ ଦଳ ଉପରେ ଶ୍ୟାମ ଅସନ୍ତୋଷ ପ୍ରକଟ କରିଥିଲେ ।
ସେହିପରି ମହାଗଠବନ୍ଧନ ସରକାରରେ ଅଶୋକ ଚୌଧୁରୀ ଶିକ୍ଷାମନ୍ତ୍ରୀ ଥିଲେ ଏବଂ ରାଜ୍ୟରେ ଦ୍ୱିତୀୟ ଥର ଏନଡିଏ ସତ୍ତାରେ ରହିବା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇ ସେ ଜେଡିୟୁ ରେ ସାମିଲ ହୋଇଥିଲେ । କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଥିଲେ ଅଶୋକ ।
ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀମଣ୍ଡଳରେ ଅନେକ ମନ୍ତ୍ରୀ ପଦ ଖାଲି ପଡିଥିଲା ଏବଂ ମନ୍ତ୍ରୀପଦ ଅଦଳ ବଦଳ ହୋଇପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଥଲା ।
ଏହି ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ବିଜେପିକୁ ସାମିଲ କରାଯାଇ ନାହିଁ । ହୁୁଏତ ବିହାର ମନ୍ତ୍ରୀମଣ୍ଡଳର ଅଧିକତମ ସଂଖ୍ୟା ୩୫ ଏବଂ ସଂପ୍ରସାରଣ ପରେ ବି ଗୋଟେ ସିଟ୍ ଖାଲି ପଡିଛି ।
ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଟ୍ୱିଟ୍ କରି କହିଛନ୍ତି କି ବିଜେପିକୁ ନୀତିଶ କୁମାର ଖାଲି ସିଟ୍ ର ଅଫର୍ ଦେଇଛନ୍ତି ଏବଂ ଏହାକୁ ଭରିବାରେ ବିଜେପି ଭବିଷ୍ୟତରେ ନିଷ୍ପତି ନେବ ।