ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାରାତ୍ମକ ଭାଇରସ କରୋନା ପାଇଁ ଏବେ ପୁରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାକୁ ମୁକାବିଲା କରିବା ପାଇଁ ଭାରତ ସରକାର ଅଣ୍ଟା ଭିଡିଛନ୍ତି । ଏହି ଭାଇରସକୁ ଦୂରେଇବା ପାଇଁ ଗୋଟେ ପରେ ଗୋଟେ କଡା ନିଷ୍ପତି ଗ୍ରହଣ କରୁଛନ୍ତି ସରକାର । ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଉ ଏକ ନିଷ୍ପତି ନିଆଯାଇଛି । ଏବେ ଦେଶର ୮୦ କୋଟି ଲୋକଙ୍କୁ କିଲୋ ପ୍ରତି ୨ ଟଙ୍କା ହିସାବରେ ଗହମ ଏବଂ ୩ ଟଙ୍କା ହିସାବରେ ଚାଉଳ ଦିଆଯିବ ।
କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଭିଡିଓ କନଫରେନସିଙ୍ଗ ଜରିଆରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି କି ୮୦ କୋଟି ଲୋକଙ୍କୁ ୨୭ ଟଙ୍କିଆ ଗହମ ୨ ଟଙ୍କାରେ ଦିଆଯିବ ଏବଂ ୩୭ ଟଙ୍କିଆ ଚାଉଳ କେବଳ ୩ ଟଙ୍କାରେ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । ଏହାସହିତ ରାଜ୍ୟସରକାରଙ୍କୁ ଆଗୁଆ ୩ ମାସର ଜିନିଷ କିଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଜାଭେଦକର ଲୋକଙ୍କୁ ନିବେଦନ କରି କହିଛନ୍ତି କି, ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ କାମ କରୁଛନ୍ତି । ଆବଶ୍ୟକୀୟ ସେବା ପ୍ରଭାବିତ ହେବ ନାହିଁ । ଗୃହମନ୍ତ୍ରାଳୟ ଦ୍ୱାରା ହେଲ୍ପଲାଇନ୍ ନଂ ମଧ୍ୟ ଜାରି କରାଯାଇଛି ।