ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପିର ବରିଷ୍ଠ ନେତା ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ଶୁକ୍ରବାର ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ଆଇସିୟୁ ରେ ରଖାଯାଇଛି । ଇଣ୍ଡୋକ୍ରିନୋଲୋଜିଷ୍ଟ ନେଫ୍ରୋଲୋଜିଷ୍ଟ ଏବଂ କାର୍ଡିଓଲୋଜିଷ୍ଟ ଡାକ୍ତରଙ୍କ ଅଧିନରେ ତାଙ୍କର ଚିକିତ୍ସା ଚାଲିଛି ।
ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ଜାଣିବା ପାଇଁ ଶନିବାର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏମ୍ସରେ ପହଁଚିଛନ୍ତି । ସେ ସକାଳ ସାଢେ ସାତଟାରେ ପହଁଚି ଜେଟଲୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଙ୍କୁ ପଚାରିଥିଲେ । ସେ ପାଖାପାଖି ୨୦ ମିନିଟ୍ ପର୍ଯ୍ୟନ୍ତ ହସ୍ପିଟାଲରେ ରହିଥିଲେ ।
ନିଶ୍ୱାସ ନେବାରେ ଏବଂ ଅତ୍ୟଧିକ ଥକ୍କାପଣ ପାଇଁ ଜେଟଲୀଙ୍କୁ ଶୁକ୍ରବାର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ କାର୍ଡିୟକ ନ୍ୟୁରୋ ସେଣ୍ଟର ରେ ରକ୍ତ ନମୁନା ଏବଂ ୟୁରିନ୍ ପ୍ରୋଫାଇଲ ପରୀକ୍ଷା କରିବା ପରେ ତାଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା । ବିଳମ୍ବିତ ରାତିରେ ଏମ୍ସ ପକ୍ଷରୁ ଜେଟଲୀଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ନେଇ ସୂଚନା ମିଳିଥିଲା ।
ଗତକାଲି ଅଚାନକ୍ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ଭିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ,ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମେତ ଅନେକ ନେତା ଏମ୍ସରେ ପହଁଚିଥିଲେ ।