ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ନାହାନ୍ତି ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଆଜି ଅପରାହ୍ନ ୧୨ ଟା ୭ ମିନିଟରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଟଳ ବିହାରୀ ବାଜପେୟୀ ଏବଂ ମୋଦି ସରକାରଙ୍କ ମନ୍ତ୍ରୀ ରହିଥିବା ଜେଟଲୀ କେବଳ ବିଜେପିର ଜଣେ ପ୍ରମୁଖ ଚେହେରା ତାହା ନୁହେଁ ବରଂ ରାଜ୍ୟସଭାରେ ଦଳ ପାଇଁ ତାଙ୍କର ଦବ୍ ଦବା ରହିଥିଲା । ତେବେ ଆସନ୍ତୁ ଜାଣିବା ଜେଟଲୀଙ୍କ ରାଜନୈତିକ ସଫର ବିଷୟରେ..
ଛାତ୍ର ଜୀବନରୁ ଜେଟଲୀ ରାଜନୀତିରେ ସକ୍ରିୟ ଥିଲେ । ଏହାସହିତ ସେ ଏଭିବିପି ର ସଦସ୍ୟ ମଧ୍ୟ ରହିଥିଲେ । ସ୍ନାତକ ଶିକ୍ଷା ନେବା ସମୟରେ ସେ ଶ୍ରୀରାମ କଲେଜ ଅଫ୍ କମର୍ସର ଛାତ୍ରସଂଘ ଅଧ୍ୟକ୍ଷ ଥିଲେ । ଏହାପରେ ସେ ଓକିଲାତ ପାଇଁ ଆଡମିସନ କରିଥିଲେ । ଇନ୍ଦିରାଗାନ୍ଧୀ ଶାସନ ସମୟରେ ଯେତେବେଳେ ଦେଶରେ ଜରୁରୀକାଳୀନ ଲାଗୁ କରାଗଲା ସେହି ସମୟରେ ଦେଶର ଅନେକ ନେତା ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ମାନଙ୍କୁ ଗିରଫ କରାଯାଇଥିଲା । ଇତି ମଧ୍ୟରେ ସରକାରଙ୍କୁ ବିରୋଧ କରିବାକୁ ନେଇ ଅରୁଣ ଜେଟଲୀଙ୍କୁ ବି ଦିଲ୍ଲୀର ତିହାଡ ଜେଲରେ ତାଙ୍କୁ ୧୯ ମାସ ପାଇଁ ବନ୍ଦ ରଖାଯାଇଥିଲା ।
ବର୍ଷ ୧୯୭୭ ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ବିଫଳ ହୋଇଥିଲା । ଏହି ନିର୍ବାଚନରେ ଅରୁଣ ଜେଟଲୀ ଲୋକତାନ୍ତ୍ରିକ ଯୁବା ମୋର୍ଚ୍ଚା କୁ ରାଷ୍ଟ୍ରୀୟ ସଂଯୋଜକ ଭାବେ ଦେଶରେ ନିର୍ବାଚନର ପ୍ରସାର କରିଥିଲେ । ଏହାପରେ ବର୍ଷ ୧୯୮୦ ସେ ବିଜେପିରେ ଏଣ୍ଟ୍ରି କରିଥିଲେ । ସେହି ସମୟରେ ସେ ଦିଲ୍ଲୀରେ ଓକିଲାତି କରୁଥିଲେ । ଜଣେ ଓକିଲ ଏବଂ ନତା ଭାବେ ସେ ଦିନକୁ ଦିନ ସାରା ଦେଶରେ ପରିଚିତ ହେବାରେ ଲାଗିଥିଲେ । ମାତ୍ର୧୯୯୧ ମସିହାରେ ଜେଟଲୀଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସ୍ଥାନ ଦିଆଯାଇଥିଲା । ଶ୍ରୀ ଜେଟଲୀଙ୍କୁ ଡିଡିସିଏ ର ଅଧ୍ୟକ୍ଷ ଭାବେ ମଧ୍ୟ ବଛା ଯାଇଥିଲା । କେବଳ ଏତିକି ନୁହେଁ ୨୦୦୯ ରେ ତାଙ୍କ ବିସିସିଆଇର ଉପାଧ୍ୟକ ଭାବେ ଚୟନ କରାଯାଇଥିଲା ।
ପ୍ରଥମ ଥର ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଅରୁଣ ଜେଟଲୀଙ୍କୁ ମନ୍ତ୍ରୀ ପଦ ଦିଆଯାଇଥିଲା । ୧୯୯୯ ମସିହାରେ ତାଙ୍କୁ ରାଜ୍ୟ ମନ୍ତ୍ରୀ ପଦ ଦିଆଯାଇଥିଲା । ଏହାପରେ ୨୦୦୦ ମସିହାରେ ଆଇନ ନ୍ୟାୟ ଏବଂ କମ୍ପାନୀ ମାମଲାର ମନ୍ତ୍ରୀ ଦାୟିତ୍ୱ ଦିଆଗଲା । ସେହିପରି ୨୦୦୨ ରେ ତାଙ୍କୁ ବିଜେପିର ଜେନେରାଲ ସେକ୍ରେଟାରୀ ଭାବେ ବଛା ଯାଇଥିଲା । ଦେଶରେ ସତ୍ତା ପରିବର୍ତ୍ତନ ହେବା ପରେ ବି ସେ ବିଜେପିର ପ୍ରମୁଖ ଚେହେରା ହୋଇ ରହିଥିଲେ ।
୨୦୦୬ ରେ ତାଙ୍କୁ ଗୁଜୁରାଟରୁ ରାଜ୍ୟସଭା ପଠାଗଲା । ବର୍ଷ ୨୦୦୯ ରେ ଅରୁଣ ଜେଟଲୀ ରାଜ୍ୟସଭାରେ ବିପକ୍ଷ ନେତା ଭାବେ ବଛା ହେଲେ । ରାଜ୍ୟସଭାର ବିପକ୍ଷ ନେତା ଭାବେ ସେ ସିଡବ୍ଲ୍ୟୁଜି ସ୍କାମ, ମହିଳା ଆରକ୍ଷଣ ବିଲ୍, ଇଣ୍ଡିଆ ଆମେରିକା ନ୍ୟୁକ୍ଲିୟର ଡିଲ ସମେତ ଅନେକ ପ୍ରସଙ୍ଗ ଉପରେ ଦମଦାର ଭୂମିକା ଗ୍ରହଣ କରିଥିଲେ । ବର୍ଷ ୨୦୧୨ ରେ ପୁଣି ଥରେ ସେ ଗୁଜୁରାଟରୁ ରାଜ୍ୟସଭା ପାଇଁ ବଛା ହେଲେ । ଏହାବ୍ୟତିତ ୨୦୧୪ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବି ସେ ମହତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିଲେ । ହୁଏତ ଲୋକସଭା ନିର୍ବାଚନରେ ଅମୃତସର ସିଟ୍ ର ବିଜୟ ହୋଇପାରିନଥିଲେ , କିନ୍ତୁ ତାଙ୍କ ଅନୁଭବକୁ ଦୃଷ୍ଟିରେ ରଖି ତାଙ୍କୁ ଅର୍ଥ, ରକ୍ଷା, ବ୍ୟତିତ ଅନେକ ମହତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଥିଲା । ଏହାପରେ ୨୦୧୮ ରେ ତାଙ୍କୁ ୟୁପି ରୁ ରାଜ୍ୟସଭା ସଦସ୍ୟ ଭାବେ ଚୟନ ହୋଇଥିଲେ ।
ଲଗାତର ଭାବେ ସ୍ୱାସ୍ଥ୍ୟବସ୍ଥା ଖରାପ ରହିବା ଯୋଗୁଁ ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳରେ ସେ ମନ୍ତ୍ରୀପଦ ନେବା ପାଇଁ ମନା କରି ଦେଇଥିଲେ । ଏନେଇ ସେ ନିଜେ ମୋଦିଙ୍କ ଚିଠି ଲେଖି ଅନୁରୋଧ ମଧ୍ୟ କରିଥିଲେ ।