ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗାନ୍ଧୀ ନଗରରୁ ବିଜେପିର ବରିଷ୍ଠନେତା ଲାଲକୃଷ୍ଣ ଆଡଭାନୀ ଏବଂ କାନପୁରରୁ ମୁରଲୀ ମନୋହର ଯୋଶୀଙ୍କ ଟିକେଟ କଟିବା ପରେ ତାଙ୍କୁ ପ୍ରଥମ ଝଟକା ଲାଗିଥିଲା । ଏହାପରେ ଏବେ ତାଙ୍କୁ ଆଉ ଏକ ବଡ ଝଟକା ଲାଗିଛି । ଆଜ୍ଞା ହଁ ବିଜେପିର ଷ୍ଟାର ପ୍ରଚାରକ ତାଲିକାରୁ ସେମାନଙ୍କୁ ବାହାର କରି ଦିଆଯାଇଛି । ଲୋକସଭା ନିର୍ବାଚନ ପ୍ରଚାର ପାଇଁ ମଧ୍ୟପ୍ରଦେଶରେ ବିଜେପି ତାର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏହି ତାଲିକାରେ ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ନାଁ ସାମିଲ ନାହିଁ । କେବଳ ଏହି ଦୁଇ ନେତା ନୁହଁନ୍ତିି ବରଂ ଏହି ତାଲିକାରେ କେନ୍ଦ୍ରୀୟ ମନ୍ତ୍ରୀ ମେନକା ଗାନ୍ଧୀ ଏବଂ ସାଂସଦ ବରୁଣ ଗାନ୍ଧୀଙ୍କ ନାଁ ମଧ୍ୟ ସାମିଲ ନାହିଁ ।
ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି,ଅମିତ୍ ଶାହା,ରାଜନାଥ ସିଂହ, ନୀତିନ୍ ଗଡକରୀ, ଅରୁଣ ଜେଟଲୀ, ସୁଷମା ସ୍ୱରାଜ ଏବଂ ଉମା ଭାରତୀ ସମେତ ୪୦ ଜଣ ଷ୍ଟାର ପ୍ରଚାରକ ନାଁ ସାମିଲ ଅଛି ।
ତାଲିକାର ପୂରା ତଳକୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁ ରହିଛି । ନିକଟରେ ସମ୍ପର୍ଣ୍ଣ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ବଡ ପ୍ରଚାରକ ହୋଇ ମଇଦାନକୁ ଯୋଗୀ ଓହ୍ଲାଇଥିଲେ, କିନ୍ତୁ ଲୋକସଭା ନିର୍ବାଚନ ପାଇଁ ଜାରି କରାଯାଇଥିବା ତାଲିକାରେ ଯୋଗୀଙ୍କ ନାଁ ୧୬ ନମ୍ବର ସ୍ଥାନରେ ରହିଛି । ଏହା ଯୋଗୀଙ୍କ ପାଇଁ ଶୁଭ ସଂକେତ ନୁହେଁ ।
ରିପୋର୍ଟ ମୁତାବକ, ଲାଲକୃଷ୍ଣ ଆଡଭାନୀଙ୍କ ସଂସଦୀୟ ସିଟ୍ ଗାନ୍ଧୀନଗର ଏଥରକ ମଇଦାନକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓହ୍ଲାଉଛନ୍ତି । ସେପଟେ ମୁରଲୀ ମନୋହର ଯୋଶୀଙ୍କୁ ପାର୍ଟି ପକ୍ଷରୁ ଟିକେଟ ନଦେବାର ନିଷ୍ପତିକୁ ନେଇ ବିଜେପିର ସଂଗଠନ ମହାସଚିବ ରାମଲାଲ ତାଙ୍କୁ ସାକ୍ଷାତ କରିଛନ୍ତି । ଏହାସହିତରେ ସେ ଯୋଶୀଙ୍କୁ ପାର୍ଟିର ନିଷ୍ପତି ବିଷୟରେ କହିଛନ୍ତି ଏବଂ ସେ ପାର୍ଟି ଅଫିସକୁ ଆସି ନିର୍ବାଚନ ଲଢିବେନି ବୋଲି ନଜେ ଘୋଷଣା କରନ୍ତୁ ବୋଲି ଦଳ ଚାହୁଁଛି । କିନ୍ତୁ ଏଭଳି କରିବା ପାଇଁ ଯୋଶୀ ସିଧା ମନା କରିଦେଇଛନ୍ତି ।