ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାରାଷ୍ଟ୍ରରେ ମହାନାଟକ ଚାଲିବା ପରେ ଶେଷରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏହାପରେ ମହାରାଷ୍ଟ୍ରର ବିଜେପି ପ୍ରମୁଖ ଚନ୍ଦ୍ରକାନ୍ତ ପାଟିଲ ଦାବି କରିଛନ୍ତି କି ବିଜେପିକୁ ୧୧୯ ଜଣ ବିଧାୟକଙ୍କ ସମର୍ଥନ ରହିଛି ଏବଂ ଖୁବ୍ ଶୀଘ୍ର ରାଜ୍ୟରେ ସରକାର ଗଠନ କରିବ । ମହାରାଷ୍ଟ୍ରର ୨୮୮ ସଦସ୍ୟ ବିଶିଷ୍ଠ ବିଧାନସଭାରେ ସାମାନ୍ୟ ବହୁମତ ଦ୍ୱାରା ସରକାର ଗଠନ କରିବା ପାଇଁ କୌଣସି ପାର୍ଟି କିମ୍ବା ଗଠବନ୍ଧନ ପାଖରେ ଅତି କମରେ ୧୪୫ ବିଧାୟକଙ୍କ ସମର୍ଥନ ରହିବା ଆବଶ୍ୟକ ।
ପାଟିଲଙ୍କ ଏହି ବୟାନ ଏଭଳି ସମୟରେ ଆସିଛି ଯେଉଁ ସମୟରେ ବିଜେପିର ଗଠବନ୍ଧନ ସହଯୋଗୀ ଶିବସେନା ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ଏବଂ କଂଗ୍ରେସ ସହିତ ଗଠବନ୍ଧନ କରିବା ପାଇଁ ମନ ବଳାଇଛି । ପାଟିଲଙ୍କ କହିବାନୁଯାୟୀ ଅକ୍ଟୋବର ୨୧ରେ ହୋଇଥିବା ନିର୍ବାଚନରେ ବିଜେପିକୁ ୧୦୫ ଟି ସିଟ୍ ମିଳିଥିଲା, କିନ୍ତୁ ବର୍ତ୍ତମାନ ବିଜେପି ନିକଟରେ କିଛି ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି ଏବଂ ସେମାନଙ୍କ ସଂଖ୍ୟା ୧୧୯ ରେ ପହଁଚିଯାଇଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ପାଟିଲ କହିଛନ୍ତି, ‘ବିଜେପି ସବୁଠାରୁ ବଡ ପାର୍ଟି ଏବଂ ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ଦ୍ୱାରା ଏବେ ବିଧାୟକ ସଂଖ୍ୟା ୧୧୯ ରେ ପହଁଚି ସାରିଛି । ଏମାନଙ୍କୁ ନେଇ ବିଜେପି ସରକାର ଗଠନ କରିବ । ଆମେ ରାଜ୍ୟର ସମସ୍ତ ରାଜନୈତିକ ଗତି ଉପରେ ଦୃଷ୍ଟି ରଖିଛୁ ।’
ନିର୍ବାଚନରେ ମହାୟୁତି ଅନୁଯାୟୀ ମଇଦାନକୁ ଓହ୍ଲାଇ ଥିବା ବିଜେପି-ଶିବସେନାକୁ ୧୬୧ ସିଟ୍ ମିଳିଥିଲା, ଯାହା ଆଧାରରେ ବହୁତ ସହଜରେ ସରକାର ଗଠନ ହୋଇ ପାରିଥାନ୍ତା । କିନ୍ତୁ ଅଢେଇ-ଅଢେଇ ବର୍ଷ ର ମୁଖ୍ୟମନ୍ତ୍ରୀ ପଦର ଦାବିରେ ଅଡି ବସିଲା ଶିବସେନା । ମାତ୍ର ଶିବସେନାଙ୍କ ଦାବି ପୂରଣ ନହେବାରୁ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ (ରାଜଗ)ଠାରୁ ଅଲଗା ହୋଇଛି ।