ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଭିନେତ୍ରୀରୁ ରାଜନୀତିରେ ପାଦ ଥାପି ଥିବା ଜୟା ପ୍ରଦା ଏବେ ବିଜେପିରେ ସାମିଲ ହୋଇଛନ୍ତି । ଜୟା ପୂର୍ବରୁ ସାମଜବାଦୀ ପାର୍ଟିର ସାଂସଦ ରହିଥିଲେ । ମାତ୍ର ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ହେବି ୱେଟ୍ ନେତାଙ୍କୁ ଦଳରେ ସାମିଲ କରାଯାଉଥିବା ବେଳେ, ଆଜି ପଦ୍ମ ପୋଖରୀରେ କୁଦ ମାରିଛନ୍ତି ଜୟା । ବିଜେପି ନେତା ଭୁପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଜୟା ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି ।
ସେପଟେ ଜୟା ବିଜେପିରେ ସାମିଲ ହେବା ପରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି କି ଏହା ମୋ ଜୀବନ ଅତି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ସେ ତେଣିକି ସିନେମା ହେଉ ଅବା ରାଜନୀତି, ଏହାକୁ ମୁଁ ହୃଦୟର ସହ ଗ୍ରହଣ କରିଛି । ଆଜି ରାଷ୍ଟ୍ରୀୟ ରାଜନୈତିକ ପାର୍ଟିରେ ମିଶିବାର ମଉକା ମିଳିଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁ୍ତ ବହୁତ ଧନ୍ୟବାଦ ।
ରାମପୁର ସିଟ୍ ରୁ ସମାଜପାଦୀ ପାର୍ଟିର ପ୍ରାର୍ଥୀ ଆଜମ ଖାଁଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ଜୟାଙ୍କୁ ମଇଦାନକୁ ଓହ୍ଲାଇପାରେ ।
ରାମପୁର ଲୋକସଭାର ସିଟ୍ ରୁ ଜୟା ବର୍ଷ ୨୦୦୪ ଏବଂ ୨୦୦୯ରେ ଦୁଇ ଦୁଇ ସାଂସଦ ହୋଇ ସାରିଛନ୍ତି । ୧୯୯୪ ରେ ଅଭିନେତାରୁ ନେତା ହୋଇଥିବା ଆନ୍ଧ୍ରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ତେଲୁଗୁ ଦେଶମ ପାର୍ଟିର ସଦସ୍ୟା ହୋଇଥିଲେ ଜୟା । ଏହାପରେ ସେ ଏନଟି ରାମାରାଓଙ୍କୁ ଛାଡି ତେଲୁଗୁ ଦେଶମ ପାର୍ଟିର ଚନ୍ଦ୍ରବାବୁ ନାଇଡୁ ଗ୍ରୁପରେ ସାମିଲ ହୋଇଥିଲେ । ଏହାପରେ ଚନ୍ଦ୍ରବାବୁ ନାଇଡୁ ଏବଂ ଜୟାଙ୍କ ମଧ୍ୟରେ ମତାନ୍ତର ଦେଖାଦେବାରୁ , ସେ ତେଲୁଗୁ ଦେଶମ ପାର୍ଟିକୁ ବାଏ ବାଏ କରି ସମାଜପାଦୀ ପାର୍ଟିରେ ଯୋଗ ଦେଇଥିଲେ ।