ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅପ୍ରେଲ ୧୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଗଣତନ୍ତ୍ରର ଏହି ମହାପର୍ବର ଆସନ୍ତା କାଲି ରହିଛି ଶେଷ ଦିନ । ଅର୍ଥାତ ଚଳିତ ଥର ନିର୍ବାଚନର ସପ୍ତମ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ । ଯାହାପାଇଁ ଗତକାଲି ପ୍ରଚାରର ରହିଥିଲା ଶେଷ ଦିନ । ସେହିଭଳି ଆଜି ରହିଛି ଶାନ୍ତପୂର୍ଣ୍ଣ ଦିବସ । ସବୁଠାରୁ ବଡ କଥା ହେଉଛି ଏହି ପର୍ଯ୍ୟାୟରେ ସାରା ଦେଶର ନଜର ଥିବା ବାରାଣାସୀ ଲୋକସଭା ଆସନ ପାଇଁ ଭୋଟ ପଡିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରହିଛି ଭାଗ୍ୟ ପରୀକ୍ଷାର ଦିନ । ମୋଟ ୮ ଟି ରାଜ୍ୟରେ ୫୯ ଟି ଲୋକସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ହେବ । ଶେଷ ପର୍ଯ୍ୟାୟରେ ମୋଦିଙ୍କ ସମେତ ବହୁ ହେବିୱେଟ ନେତା ନିର୍ବାଚନି ମୈଦାନରେ ରହିଛନ୍ତି ।
ପାଟନାସାହିବରୁ କଂଗ୍ରେସ ନେତା ଶତୃଘ୍ନ ସିହ୍ନା, ବିଜେପିର ରବି ଶଙ୍କର ପ୍ରସାଦ, ଚଣ୍ଡିଗଡରୁ ବିଜେପି ନେତ୍ରୀ କିରଣ ଖେର, ଆପ୍ ନେତ୍ରୀ ଗୁଲ ପନାଗ ଓ ଗୁରଦାସପୁରରୁ ବିଜେପି ନେତା ସନ୍ନି ଦେଓଲ ଓ କଂଗ୍ରେସ ନେତା ସୁନିଲ ଝାକରଙ୍କ ଭଳି ନେତାଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏହି ପର୍ଯ୍ୟୟରେ ଉତ୍ତର ପ୍ରଦେଶର ୧୩ଟି, ପଞ୍ଜାବର ସମସ୍ତ ୧୩ଟି, ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି, ହିମାଚଳ ପ୍ରଦେଶର ସମସ୍ତ ୪ଟି, ଝାଡ଼ଖଣ୍ଡର ୩ଟି ଓ ଚଣ୍ଡିଗଡ଼ର ଏକମାତ୍ର ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ହେବ।