ନୁଆଦିଲ୍ଲୀ ( ଏଟିଆର ବ୍ୟୁରୋ ) : ମଧ୍ୟପ୍ରଦେଶ ପରେ ଛତିଶଗଡ ସରକାର ବି କୃଷିଋଣ ଛାଡ କରିଛନ୍ତି । ସୋମବାର ସଂଧ୍ୟାରେ ଏନେଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଘୋଷଣା କରିଛନ୍ତି । ପାଂଚ ରାଜ୍ୟରେ କ୍ଷମତାକୁ ଆସିଲେ ୧୦ଦିନ ମଧ୍ୟରେ କୃଷିଋଣ ଛାଡ କରିବାକୁ କଥା ଦେଇଥିବା କଂଗ୍ରେସ ତିନି ରାଜ୍ୟରେ କ୍ଷମତାକୁ ଆସିବା ପରେ ଦୁଇ ରାଜ୍ୟରେ କୃଷିଋଣ ଛାଡ ହୋଇଗଲାଣି । ଏବେ ରାଜସ୍ଥାନର ପାଳି ପଡିବାକୁ ଯାଉଛି ।
ବାଘେଲ ସରକାର ରାଜ୍ୟର ୧୬ଲକ୍ଷ ଚାଷୀଙ୍କ କୃଷିଋଣ ଛାଡ କରାଯିବା ନେଇ ଘୋଷଣା କରିଛନ୍ତି । ଛତିଶଗଡ ଗ୍ରାମୀଣ ବ୍ୟାଙ୍କ ଓ କୋପରେଟିଭ୍ ବ୍ୟାଙ୍କରୁ ଋଣ ନେଇଥିବା ଚାଷୀଙ୍କ ଋଣ ଛାଡ କରାଯାଇଥିବା ସରକାର ଘୋଷଣା କରିଛନ୍ତି । ତେବେ କମର୍ସିଆଲ ବ୍ୟାଙ୍କରୁ ଋଣ ନେଇଥିବା ଚାଷୀଙ୍କ ଋଣ ବି ଛାଡ କରାଯିବ ଓ ଏଥିପାଇଁ କିଛିଦିନ ସମୟ ଲାଗିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି । ଯାଂଚ ପରେ ଏହି ଋଣ ଛାଡ ହେବ ବୋଲି ଜଣାପଡିଛି ।
କେବଳ ଏତିକି ନୁହେଁ ଚାଷୀଙ୍କୁ ଖୁସି କରିବାକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ଛତିଶଗଡର ନୂଆ ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ୨୫୦୦ଟଙ୍କାକୁ ଧାର୍ଯ୍ୟ କରିଛନ୍ତି ସରକାର । ଏହି ମୂଲ୍ୟ ପୂର୍ବରୁ ୧୭୫୦ଟଙ୍କା ଥିବା ବେଳେ ଏହାକୁ ୨୫୦୦ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ଏହାସହ ଝିରମ ଘାଟି ଆକ୍ରମଣ ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାଘେଲ ସରକାର । ୨୦୧୩ରେ ଘଟିଥିବା ଏହି ଆକ୍ରମଣରେ ବରିଷ୍ଠ କଂଗ୍ରେସ ନେତା ନନ୍ଦ କୁମାର ପଟେଲଙ୍କ ସମେତ ୧୯ଜଣଙ୍କ ମୃତ୍ୟୁ ହୋଇଥିଲା ।
ନିର୍ବାଚନୀ ଇସ୍ତାହାରରେ ଚାଷୀଙ୍କୁ ଅଗ୍ରାଧୀକାର ଦେଇଥିଲା କଂଗ୍ରେସ । ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଚାଷୀ ସମସ୍ୟା ଉକ୍ରଟ ହୋଇଥିବା ବେଳେ ଏହାକୁ ସେତେବେଳର ବିଜେପି ସରକାର ଅଣଦେଖା କରୁଥିବା କଂଗ୍ରେସ ଅଭିଯୋଗ କରି ଆସୁଥିଲା । ଏପରିକି ଚାଷୀମୃତ୍ୟୁକୁ ସରକାର ମାନୁ ନଥିବା ବେଳେ କେବଳ କଂଗ୍ରେସ ସରକାର ଆସିଲେ ଚାଷୀ ସମସ୍ୟାର ସମାଧାନ ହେବ ବୋଲି ନିର୍ବାଚନ ସମୟରେ ଘୋଷଣା କରିଥିଲା କଂଗ୍ରେସ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ଦୁଇ ତିନି ଘଂଟା ମଧ୍ୟରେ ଯେମିତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କୃଷିଋଣ ଛାଡ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲେ ତାହା ହୁଏତ ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳିନଥିଲା । ତେବେ ଆଗକୁ ଏହି ଆକ୍ସନ କେମିତି ରହୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।