ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତେଲେଙ୍ଗାନାରେ କଂଗ୍ରେସକୁ ପୁଣି ଏକ ବଡ ଝଟକା ଲାଗିପାରେ । ରାଜ୍ୟରେ ଥିବା ଦଳର ବିଧାୟକ ମାନଙ୍କ ମଧ୍ୟରୁ ପୂର୍ବରୁ ୧୨ ଜଣ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ରେ ସାମିଲ ହୋଇ ସାରିଛନ୍ତି । ସେହିପରି ଆଉ ଜଣେ ବିଧାୟକ ସାମିଲ ହେବେ ବୋଲି ସଂକେତ ଦେଇଛନ୍ତି । ଲୋକସଭା ନିର୍ବାଚନରେ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଛି ।
ବିଜେପିରେ ସାମିଲ ହେବାକୁ ଥିବା ବିଧାୟକ ହେଉଛନ୍ତି କୋମାଟିରେଡ୍ଡୀ ରାଜଗୋପାଳ ରେଡ୍ଡୀ । ସେ ନାଲଗୋଣ୍ଡା ଜିଲ୍ଲାର ମୁନୁଗୋଡେ ବିଧାନସଭା ସିଟ୍ ରୁ ପ୍ରତିନିଧତ୍ୱ କରନ୍ତି । । ଯଦି ସେ କଂଗ୍ରେସ ଛାଡି ଦିଅନ୍ତି ତେବେ ୧୧୯ ସଦସ୍ୟତାର ବିଧାନସଭାରେ ପାର୍ଟି ପକ୍ଷରୁ କେବଳ ୫ ଜଣ ରହିବେ । ବର୍ତ୍ତମାନ ବିଜେପିର କେବଳ ଜଣେ ବିଧାୟକ ବିଧାନସଭାରେ ଉପସ୍ଥିତ ଅଛନ୍ତି । ସେପଟେ ସୋମବାର ଦିଲ୍ଲୀରେ ବିଜେପି ନେତୃତ୍ୱରେ ଥିବା ନେତାଙ୍କ ସହିତ ଶ୍ରୀ ରେଡ୍ଡୀ ସାକ୍ଷାତ କରିଥିଲେ ଏବଂ ଔପଚାରିକ ଭାବେ ପାର୍ଟିରେ ସାମିଲ ହେବାକୁ ନେଇ ଆଲୋଚନା କରିଛନ୍ତି ।
ସେହିପରି ଶନିବାର ଗଣମାଧ୍ୟମକୁ ସାକ୍ଷାତ କରି ଶ୍ରୀ ରେଡ୍ଡୀ କହିଛନ୍ତି କି, ତେଲେଙ୍ଗାନାରେ କଂଗ୍ରେସର କୌଣସି ଭବିଷ୍ୟତ ନାହିଁ । ବିଜେପି ଏକୁଟିଆ ଏଭଳି ଏକ ପାର୍ଟି ଯିଏ ଟିଆରଏସକୁ ଟକ୍କର ଦେଇପାରିବ । ଏହାବ୍ୟତିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଶ୍ରୀ ରେଡ୍ଡୀ କହିଛନ୍ତି କି ସେ ଦେଶକୁ ଗୋଟେ ମଜବୁତ ନେତୃତ୍ୱ କରିଛନ୍ତି ଏବଂ କ୍ରାନ୍ତିକାରୀ ନେତୃତ୍ୱ ନେଇଛନ୍ତି ।
ଗୋଟେପଟେ ବିଜେପିରେ ସାମିଲ ହେବା ପାଇଁ ରେଡ୍ଡୀ ପ୍ରସ୍ତୁତ । ଅନ୍ୟପଟେ ତେଲେଙ୍ଗାନା ପ୍ରଦେଶ ସମିତିର ଅନୁଶାସନାତ୍ମକ ସମିତି ସୋମବାର ଗାନ୍ଧୀଭବନରେ ସାକ୍ଷାତ କରି ରେଡ୍ଡୀଙ୍କୁ ଦଳରୁ ନିଷ୍କାସିତ କରିବା ପାଇଁ ହାଇକମାଣ୍ଡଙ୍କୁ ଦାବି କରିଛନ୍ତି । ଏନେଇ ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ସାଂସଦ ହନୁମନ୍ତ ରାଓ କହିଛନ୍ତି କି, ରାଜଗୋପାଳ ରେଡ୍ଡୀ ପାର୍ଟି ପକ୍ଷରୁ ବିଧାନସଭା ପରିଷଦର ସଦସ୍ୟ, ବିଧାୟକ ଏବଂ ସାଂସଦ, ସେ ଦଳ ଛାଡିବାକୁ ନିଷ୍ପତି ନେଇଥିବାର ଏହା ଦୁର୍ଭାଗ୍ୟପୂର୍ଣ୍ଣ । ଦଳ ପକ୍ଷରୁ ତାଙ୍କ ପରିବାରକୁ ବହୁତ ଫାଇଦା ମିଳିଛି । ଏହାପରେ ବି ସେ ଦଳରେ ସନ୍ତୁଷ୍ଟ ନାହାଁନ୍ତି ।
ବିଜେପିରେ ସାମିଲ ହେବା ପାଇଁ ଶ୍ରୀ ରେଡ୍ଡୀ ନିଜେ ନିଷ୍ପତି ନେଇଥିବା ବେଳେ ସେହିପରି କଂଗ୍ରେସର ଅନ୍ୟ ଏକ ବିଧାୟକ ଜୟପ୍ରକାଶ ରେଡ୍ଡୀଙ୍କୁ ବିଜେପିରେ ସାମିଲ ହେବା ପାଇଁ ଉସକାଉ ଥିବାର ଜାଣିବାକୁ ମିଳିଛି ।