ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ବଦଳୁଛି ଜନାଦେଶ । ମୋଦି ସରକାରର ଶେଷ ବର୍ଷର ଶେଷ ପରୀକ୍ଷାର ଫଳାଫଳ ଆସିବାକୁ ଆଉ ମାତ୍ର କିଛି ସମୟ ବାକି ଅଛି । ତଥାପି ଜନତାଙ୍କ ମତ ଆପାତତଃ ସ୍ପଷ୍ଟ ହୋଇ ଆସୁଛି । ଏକଦା ମୋଦି ମ୍ୟାଜି. ମୋଦି ଲହର, ମୋଦି ୱେଭ୍ ଶବ୍ଦ ବ୍ୟବହାର କରୁଥିବା ଭାରତୀୟ ଜନତା ପାର୍ଟି ବି ଏ ଜନାଦେଶରେ ଆଚମ୍ବିତ ହୋଇଛି ନିଶ୍ଚିତ । କାରଣ ବହୁମତ ଯାଉଛି କଂଗ୍ରେସ ଆଡକୁ ।
୫ରାଜ୍ୟର ନିର୍ବାଚନ ଫଳାଫଳ ଆଗାମୀ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ । ଏମିତିରେ କଳାଧନ ଫେରିବା, ରାଫେଲ ଦୁର୍ନୀତି ଓ ବିମୁଦ୍ରାକରଣକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲା କଂଗ୍ରେସ । ୬୦ମାସର ସରକାରରେ ସେଭଳି କିଛି ବିକାଶର ବାର୍ତ୍ତା ପହଂଚି ପାରିନି ଲୋକଙ୍କ ପାଖରେ । ତେଣୁ କୁହାଯାଇପାରେ ସରକାରଙ୍କ ବିରୋଧରେ ଜନମତ ସଂଗ୍ରହ କରିବା କଂଗ୍ରେସ ପକ୍ଷରେ ସମ୍ଭବ ହୋଇପାରିଲା ।
ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ, ମଧ୍ୟପ୍ରଦେଶର ୨୩୦ ସିଟରୁ ୧୧୩ ସିଟରେ ବିଜେପି ଆଗରେ ରହିଥିବା ବେଳେ କଂଗ୍ରେସ ୧୦୭ ସିଟରେ ଆଗୁଆ ରହିଛି । ବିଏସପି ୫ଟି ସିଟରେ ଓ ଅନ୍ୟାନ୍ୟ ୬ଟି ସିଟରେ ଆଗୁଆ ରହିଛନ୍ତି । ଏଠାରେ ମ୍ୟାଜି ନମ୍ବର ରହିଛି ୧୧୬ ।
ସେହିଭଳି ୧୯୯ ସିଟ ବିଶିଷ୍ଟ ରାଜସ୍ଥାନରେ କଂଗ୍ରେସ ୯୫ ସିଟରେ ଆଗୁଆ ଥିବା ବେଳେ ବିଜେପି ୭୯ ସିଟରେ, ବିଏସପି ୪ଟି ସିଟରେ ଓ ଅନ୍ୟାନ୍ୟ ୨୧ଟି ସିଟରେ ଆଗୁଆ ରହିଛନ୍ତି । ଏଠାରେ ମ୍ୟାଜିକ ନମ୍ବର ରହିଛି ୧୦୦ ।
ଅନ୍ୟପଟେ ୧୧୯ ଆସିନ ବିଶିଷ୍ଟ ତେଲେଙ୍ଗାନାରେ ଟିଆରଏସ ୯୧ ଟି ସିଟରେ, କଂଗ୍ରେସ ୨୧ଟି ସିଟରେ ଆଗୁଆ ଥିବା ବେଳେ ଏଠାରେ ବିଜେପି ଖାତା ଖୋଲିବା ସହଜ ହୋଇପାରିନି । ଶେଷ ଖବର ସୁଦ୍ଧା ବିଜେପି ମାତ୍ର ୧ଟି ସିଟରେ ଆଗୁଆ ରହିଛି ଓ ଅନ୍ୟାନ୍ୟ ୬ଟି ସିଟରେ ଆଗୁଆ ରହିଛନ୍ତି । ଏଠାରେ ମ୍ୟାଜିକ ନମ୍ବର ୬୦ ରହିଛି ।
ବିଜେପିର ଗଡ ଛତିଶଗଡରେ ବି ମଉଳିଛି ପଦ୍ମ । ୯୦ ଆସନ ବିଶିଷ୍ଟ ଛତିଶଗଡରେ କଂଗ୍ରେସ ୫୬ଟି ସିଟରେ ଆଗୁଆ ରହିଛି ମ୍ୟାଜିକ ନମ୍ବର ଠଶରୁ ଢ଼େର ଆଗରେ ରହିଛି । ବିଜେପି ୨୪ଟି ସିଟରେ ଓ ବିଏସପି ୮ଟି ସିଟରେ ଆଗୁଆ ଥିବା ବେଳେ ଅନ୍ୟାନ୍ୟ ୧ଟି ସିଟରେ ଆଗୁଆ ରହିଛନ୍ତି । ଏଠାରେ ମ୍ୟାଜିକ ନମ୍ବର ରହିଛି ୪୬ ।
ସେହିପରି ୪୦ ଆସନ ବିଶିଷ୍ଟ ମିଜୋରାମରେ ଏମଏନଏକ ୨୮ଟି ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି । ଏଠାରେ ବିଜେପିର ପରିସ୍ଥିତି ଶୋଚନୀୟ ହୋଇଯାଇଛି । ମାତ୍ର ୧ଟି ଆସନରେ ଆଗୁଆ ରହିଛି ବିଜେପି ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଛନ୍ତି । ଏଠାରେ ମ୍ୟାଜିକ ନମ୍ବର ରହିଛି ୨୧ ।
ସରକାର ବିରୋଧୀ ହାୱା ବହିଛି ୫ଟଇ ଯାକ ରାଜ୍ୟରେ । ହୁଏତ ଏ ପବନ ଆଗାମୀ ନିର୍ବାଚନରେ ଅନେକ କ୍ଷୟକ୍ଷତି କରିପାରେ । ସେମି ଫାଇନାଲରେ ବିଜେପିର ଏମିତି ସ୍ଥିତି କରିଥିବା କଂଗ୍ରେସ ମନୋବଳ ଲଗାଇ ଯଦି ଫାଇନାଲରେ ମଇଦାନକୁ ଓହ୍ଳାଏ ତେବେ ବିଜୟ କାହାର ହେବ ତାହା ଜଣାପଡୁଛି । କିନ୍ତୁ କୁହାଯାଏ କ୍ରିକେଟର ଶେଷ ବଲ୍ ଓ ନିର୍ବାଚନରେ ଶେଷ ଭୋଟ କିଛି ବି ବଦଳାଇ ଦେଇପାରେ ।