ଜାମ୍ମୁ (ଏଟିଆର ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ପାଇଁ ଅନୁମୋଦନ ଦେଇଛନ୍ତି । ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜ୍ୟପାଳ ଶାସନ ପାଇଁ ସୁପାରିଶ କରାଯାଇଥିଲା ।
ଦୀର୍ଘଦିନ ଧରି ଜାମ୍ମୁ-କାଶ୍ମୀରରେ ବିଜେପି-ପିଡିପି ମେଣ୍ଟ ସରକାର ଚାଲି ଆସିଥିଲା । କିନ୍ତୁ ଗତ କାଲି ହଠାତ୍ ବିଜେପି ମେଣ୍ଟରୁ ଓହରି ଯାଇଥିଲା । ତାପରେ ମୁଖ୍ୟମନ୍ତ୍ରୀ ପଦରୁ ମେହବୁବା ମୁଫତି ଇସ୍ତଫା ଦେଇଥିଲେ ।
ମେହବୁବା ମୁଫତିଙ୍କର ପିତାଙ୍କ ନିଧନ ପରେ ସେ ଅପ୍ରିଲ ୪ ୨୦୧୬ରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ।
ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ପୂର୍ବ ରାଷ୍ଟ୍ରପତି ଅମର ଅବଦୁଲା ରାଜ୍ୟରେ ଖୁବ୍ ଶୀଘ୍ର ନିର୍ବାଚନ ହେବା ପାଇଁ ଦାବି କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ ଜାମ୍ମୁ-କାଶ୍ମୀର ବିଧାନସଭାକୁ ତୁରନ୍ତ ଭଙ୍ଗ କରିବା ଉଚିତ୍ । ଖୁବ୍ ଶୀଘ୍ର ରାଜ୍ୟରେ ନିର୍ବାଚନ କରିବା ଆବଶ୍ୟକ । ବିଜେପି କୁ ଭରଷା ନାହିଁ’ ।
ରାଜ୍ୟପାଳ ଶାସନ ଲାଗୁ ହେବା ପରେ ରାଜ୍ୟପାଳ ଏନଏନ ବୋହରା ରାଜ୍ୟର ସମସ୍ତ ବଡ ଅଫିସରଙ୍କ ସହିତ ଏକ ବୈଠକ ଡକାଇଛନ୍ତି । ଏହି ବୈଠକରେ ରାଜ୍ୟର ସମସ୍ତ ସ୍ଥିତି ଉପରେ ଆଲୋଚନା କରାଯିବ ।