ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଥୁରାର ବିଜେପି ପ୍ରାର୍ଥୀ ତଥା ଫିଲ୍ମ ଅଭିନେତ୍ରୀ ହେମାମାଳିନୀଙ୍କ ଟିଭି ଚ୍ୟାନେଲ ଏବଂ ଖବର କାଗଜରେ ପ୍ରସାରିତ ହେଉଥିବା ବିଜ୍ଞାପନ ଉପରେ ରୋକ୍ ଲଗାଯିବ । ଏହି ମାମଲାରେ ନିର୍ବାଚନ ଆୟୋଗକୁ ଚିଠି ଲେଖିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଏଲ ଭେଙ୍କଟେଶ୍ୱର । ଏନେଇ ଊପ ମୁଖ୍ୟ ନିର୍ବାଚନ ଅଧିକାରୀ ବ୍ରହ୍ମଦେବ ତିୱାରୀ ସୂଚନା ଦେଇଛନ୍ତି । ଲୋକସଭା ନିର୍ବାଚନ ଅବସରରେ ହେମାମାଳିନୀଙ୍କ ବିଜ୍ଞାପନ ଉପରେ ରୋକ୍ ଲଗାଯିବର ଦାବି କରାଯାଇଥିଲା । ଦାବି ଅନୁଯାୟୀ ବିଜ୍ଞାପନ ଜରିଆରେ ହେମାମାଳିନୀଙ୍କର ମାଗଣାରେ ପ୍ରଚାର ହେଉଛି । ଯାହାଦ୍ୱାରା ମତଦାତ୍ତା ପ୍ରଭାବିତ ହେଉଛନ୍ତି ।
ପ୍ରକୃତରେ ନିର୍ବାଚନ ପାଇଁ ହେମାମାଳିନୀ ଜୋର୍ ସୋରରେ ପ୍ରଚାର କରୁଛନ୍ତି । ପ୍ରଚାର ସମୟରେ ହେମାଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । କେତେବେଳେ ହେମା କ୍ଷେତରେ ଗହମ କାଟୁଛନ୍ତି ତ ପୁଣି କେତେବେଳେ ଟ୍ରାକ୍ଟର ଚଲାଉଥିବାର ତାଙ୍କୁ ଦେଖିବାକୁ ମିଳୁଛି ।
ଯେତେବେଳେ ହେମା ଗୋବର୍ଦ୍ଧନ ପୀଠରେ ରାଲି ପାଇଁ ବାହାରି ଥିଲେ । ସେହି ସମୟରେ ସେ ରାସ୍ତା କଡରେ ଥିବା ଗହମ କ୍ଷେତରେ ମହିଳାଙ୍କୁ ଦେଖି ତାଙ୍କ ପାଖକୁ ଯିବା ସହ ଗହମ ମଧ୍ୟ କାଟି ଥିଲେ । ଏହି ସମୟର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହାପରେ ପୁଣି ଥରେ ହେମାଙ୍କୁ ଆଳୁ କ୍ଷେତରେ ଟ୍ରାକ୍ଟର ଚଲାଉଥିବାର ଦେଖିବାକୁ ମିଳିଥିଲା ।