ନୂଆଦିଲ୍ଲୀ( ଏଟିଆର) : ଗତକାଲି ବିଜେପି ପକ୍ଷରୁ ଆମେଥିରେ ଲୋକସଭା ଆସନ ପାଇଁ କେନ୍ଦ୍ରମନ୍ତ୍ରୂୀ ସ୍ମୃତି ଇରାନୀ ନାମାଙ୍କନ କରିଥିଲେ । ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ବିପକ୍ଷରେ ବିଜେପିରୁ ଲଢୁଥିବା ସ୍ମୃତିଙ୍କ ନାମାଙ୍କନ ସତ୍ୟପାଠରୁ ମିଳିଛି ଏକ ରୋଚକ ତଥ୍ୟ । ତାଙ୍କ ନାମାଙ୍କନ ପତ୍ରରୁ ଜଣାପଡିଛି ଯେ ସ୍ମୃତି ଇରାନୀ ଗ୍ରାଜୁଏଟ ନୁହଁନ୍ତି । ସେ ଗ୍ରାଜୁଏଟ ପାଇଁ ନାମ ଲେଖିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗ୍ରାଜୁଏସନ ସଂମ୍ପୂର୍ଣ୍ଣ କରି ନାହାନ୍ତି । ଗତକାଲି ନାମାଙ୍କନ ବେଳେ ସେ ଦେଇଥିବା ସତ୍ୟପାଠରେ ସ୍ମୃତି ଏକଥା ଉଲ୍ଲେଖ କରିଛନ୍ତି ।
ସ୍ମୃତି ଦାଖଲ କରିଥିବା ସତ୍ୟପାଠ ତଥ୍ୟ ଅନୁସାରେ ସେ ୧୯୯୪ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓପନ ଲର୍ନିି ସ୍କୁଲରେ ବାଣିଜ୍ୟରେ ସ୍ନାତକ ପାଇଁ ନାମ ଲେଖାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଶେଷ କରି ନାହାନ୍ତି । ସବୁଠୁ ବଡ କଥା ହେଉଛି ୨୦୧୪ ରେ ଆମେଥି ଲୋକସଭା ପାଇଁ ସେ କରିଥିବା ନାମାଙ୍କନରେ ସେ ବାଣିଜ୍ୟରେ ସ୍ନାତକ ବୋଲି ଦର୍ଶାଇଥିଲେ । ଯାହା ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛି । ସେହିପରି ୨୦୦୪ରେ ଦିଲ୍ଲୀ ଚାନ୍ଦିନୀଚୌକରେ ନିର୍ବାଚନ ଲଢିବା ବେଳେ ସେ ଦିଲ୍ଳୀ ବିଶ୍ୱବିଦ୍ୟାଳୟରୁ ( କରସପେନ୍ଡେନ୍ସ) କଳାରେ ସ୍ନାତକ ପୂରଣ କରିଥିବା ଦର୍ଶାଇଥିଲେ । ତେବେ ଗ୍ରାଜୁଏସନକୁ ନେଇ ଭିନ୍ନଭିନ୍ନ ମସିହାରେ ଦେଇଥିବା ସତ୍ୟପାଠରେ କାହିଁକି ଅଲଗା ଅଲଗା ତଥ୍ୟ ଦେଉଛନ୍ତି ତାହା ବିରୋଧୀଙ୍କୁ ସମାଲୋଚନା କରିବାକୁ ଖୋରାକ ଯୋଗାଉଛି ।