ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଶ୍ମୀରରୁ ୧୩୧ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ପ୍ରସ୍ତୁତି କରୁଛନ୍ତି ପଶ୍ଚିମବଙ୍ଗ ସରକାର । ପ୍ରକୃତରେ କାଶ୍ମୀରର କୁଲଗାମରେ ୫ ଜଣ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯିବା ପରେ ଏହି ନିଷ୍ପତି ନିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସାକ୍ଷତ କରି ମମତା ବାନାର୍ଜି କହିଛନ୍ତି କି, ରାଜ୍ୟ ସରକାରଙ୍କ ସହାୟତାରେ କାଶ୍ମୀର ଯାଇଥିବା ୧୩୧ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ଅଣାଯିବ । ଏହି ସମସ୍ତ ଶ୍ରମିକ ମୁର୍ଶିଦାବାଦ, ଦିନାଜପୁର ଏବଂ ମାଲଦା ର ଅଟନ୍ତି ।
ରିପୋର୍ଟ ଅନୁଯାୟୀ ସରକାର ଶ୍ରମିକମାନଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ଏବଂ ପୂର୍ବରୁ ଦୁଇ ଅଧିକାରୀ କାଶ୍ମୀର ଅଭିମୁଖେ ଯାତ୍ରା କରିସାରିଲେଣି । ସମସ୍ତ ଶ୍ରମିକମାନଙ୍କୁ ଟ୍ରେନ୍ ମାଧ୍ୟମରେ ଅଣାଯିବ । ଏହାସହିତ ସରକାରଙ୍କ ପକ୍ଷରୁ କାଶ୍ମୀରକୁ ଅଧିକ ସଂଖ୍ୟାରେ ପୋଲିସ ଅଧିକାରୀ ମଧ୍ୟ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ।
ସୂଚନା ଯୋଗ୍ୟ, ସେଓ ବଗିଚାରେ କାମ କରୁଥିବା ଶ୍ରମିକଙ୍କୁ ଗୁଲଗାମ ସ୍ଥିତ ଭଡା ଘରୁ ବାହାରକୁ ଡାକି ଆଣି ଗୁଳି ମାରି ଦିଆଯାଇଥିଲା । ଏଥିରେ ପ୫ ଜଣ ଶ୍ରମିକ ମୃତ୍ୟୁ ବରଣ କରିଥିଲେ । ଏମାନେ ସମସ୍ତେ ମୁର୍ଶିଦାବାଦ ସାଗରଦିଘି ର ବହଲନଗର ଗାଁର ବାସିନ୍ଦା ଥିଲେ ।