କୋଲକାତା ( ଏଟିଆର ବ୍ୟୁରୋ): ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ସୂଚନା ଦେଇଥିଲେ । ମାତ୍ର ଆଜି ଖୋଦ ଦିଦି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ସୂଚନା ଦେଇଛନ୍ତି । ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦିଦି କାହିଁକି ଏମିତି ନିଷ୍ପତ୍ତି ନେଲେ ତାହା ଏବେ ଗୋଟିଏ ବଡ ପ୍ରଶ୍ନ ପାଲଟିଛି ।
ସୂତ୍ରର ଖବର ଅନୁସାରେ ମୋଦିଙ୍କ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନୀ ହିସାଂରେ ମୃତ୍ୟୁ ବରଣ କରିଥିବା ବିଜେପି କର୍ମୀଙ୍କୁ ମୋଦି ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କରିଥିବାରୁ ଦିଦି ସେଠାକୁ ଯିବାକୁ ଉଚିତ ମଣୁ ନାହାନ୍ତି । ଏମିତିକି ଦିଦି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ରାଜନୈିତିକରଣ କରାଯାଉଛି ।
ସେହିଭଳି ଗତକାଲି ଟିଏମସିର ୫୦ ଜଣ କାଉନସିଲର ଓ ୩ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ମମତା କ୍ଷୁବ୍ଧ ହୋଇଛନ୍ତି । ଯାହାକୁ ନେଇ ଦିଦି ତାଙ୍କ ଗସ୍ତକୁ ବାତିଲ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ବିଜେପି ଏଥର ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରିଛି । ଏଠାରେ ବିଜେପିକୁ ୧୮ ଟି ଆସନ ମିଳିଥିବା ବେଳେ ଟିଏମସିକୁ ୨୨ ଟି ଲୋକସଭା ଆସନ ମିଳିଛି ।