ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ବାଲେଶ୍ୱର ସାଂଦସ ପ୍ରତାପ ଷଢ଼ଙ୍ଗୀ ମନ୍ତ୍ରୀ ହେବା ପରେ ମଧ୍ୟ ତାଙ୍କୁ ସରକାରୀ ଘର ମିଳିନଥିବା ଶୁଣିବାକୁ ମିଳିଛି । ନନା ମନ୍ତ୍ରୀ ହେବାର ମାସେ ହୋଇଗଲାଣି । କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କୁ ସରକାରୀ ଘର ମିଳିନାହିଁ । ସେ ଓଡିଶା ଭବନରେ ରହୁଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ ଏକମାତ୍ର ସାଂସଦ ଭାବେ ପ୍ରତାପଙ୍କୁ ସରକାରୀ ଆବାସ ସହ କାର୍ଯ୍ୟାଳୟ ପ୍ରକୋଷ୍ଠ ମିଳିପାରିନାହିଁ ।
କେନ୍ଦ୍ର ସରକାରଙ୍କର ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏମଏସଏମଇ ଓ ଦୁଗ୍ଧ ଉତ୍ପାଦନ, ପଶୁପାଳନ ବିଭାଗ ଦାୟିତ୍ୱରେ ଅଛନ୍ତି ପ୍ରତାପ । ଦୁଗ୍ଧ ଉତ୍ପାଦନ, ପଶୁପାଳନ ଓ ମଶ୍ଚୟ ପାଳନ ମନ୍ତ୍ରାଳୟର କାର୍ଯ୍ୟାଳୟ ଥିବାବେଳେ କୌଣସି ପ୍ରକୋଷ୍ଠ ମିଳିପାରିନାହିଁ । ସେହିପରି ଉଦ୍ୟୋଗ ଭବନରେ ମଧ୍ୟ ପ୍ରକୋଷ୍ଠ ଖାଲି ହୋଇନଥିବାରୁ ନନାଙ୍କୁ କାର୍ଯ୍ୟ କରିବାକୁ ସୁବିଧା ହେଉନାହିଁ ।
ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଦୁଇ ଧନୀ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ ପ୍ରତାପ । ବିଜୟୀ ହେବା ଦିନଠାରୁ ଚର୍ଚ୍ଚାରେ ରହିଛନ୍ତି । ନିଜର ଜୀବନ ଶୈଳୀ ହେଉ ବା କାମ କରିବାର ଷ୍ଟାଇଲ । ତେବେ ରାଜ୍ୟରୁ ଲୋକସଭା ପାଇଁ ନିର୍ବାଚିତ ହୋଇଥିବା ୮ ବିଜେପି ନେତାଙ୍କ ମଧ୍ୟରୁ ପ୍ରତାପଙ୍କ ଉପରେ ଭରଷା କରି ମନ୍ତ୍ରୀପଦ ଦେଇଛନ୍ତି । ତେବେ ଅନ୍ୟ ମନ୍ତ୍ରୀଙ୍କୁ ଘର ଏବଂ ଅଫିସ ମିଳିଥିବା ବେଳେ ପ୍ରତାପଙ୍କୁ ମିଳିନାହିଁ ।