ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଧର୍ମଶାଳାରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଅଭିନେତ୍ରୀ ୟାମି ଗୌତମ ମୋଦିଙ୍କୁ ଶାଲ ଏବଂ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି । ଏହାପରେ ମୋଦି ନିବେଶକ ସମ୍ମିଳନୀର ଉଦଘାଟନ କରିବେ । ହିମାଚଳରେ ଔଦ୍ଦୋଗିକ ନିବେଶ ବଢାଇବା ପାଇଁ ପ୍ରଥମ ଥର ଦେବଭୂମିରେ ଗ୍ଲୋବାଲ ଇନଭେଷ୍ଟର ମିଟ୍ (ନିବେଶକ ସମ୍ମିଳନୀ) ଆରମ୍ଭ ହେଉଛି । ଦୁଇ ଦିନିଆ ଇନଭେଷ୍ଟର ମିଟ୍ ରେ ଦେଶ ବିଦେଶର ଉଦ୍ୟୋଗପତି ମାନେ ସାମିଲ ହେବେ ।
ଧର୍ମଶାଳାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପଡିଆରେ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀର ଶୁଭାରମ୍ଭ କରିବେ । ଏହି ସମ୍ମିଳନୀରେ ମୋଦିଙ୍କ ବ୍ୟତିତ ତାଙ୍କ ମନ୍ତ୍ରୀମଣ୍ଡଳର ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ ପ୍ରହଲାଦ ଏସ ପଟେଲ, ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ସିଂହ ଠାକୁର, ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ଥମାଙ୍ଗ, ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ, ନୀତି ଆୟୋଗର ଭାଇସ ଚେୟାରମ୍ୟାନ ରାଜୀବ କୁମାର ଏବଂ କେନ୍ଦ୍ରୀୟ ମନ୍ତ୍ରାଳୟର ଅଧିକାରୀମାନେ ବି ସାମିଳ ଅଛନ୍ତିତ । ପ୍ରଥମ ଦିନର ଏହି ସମ୍ମିଳନୀରେ ଦେଶ-ବିଦେଶରୁ ୨୦୦ ଡେଲିଗେଟ୍ସ ସମେତ ୧୭୦୦ ରୁ ଅଧିକ ପ୍ରତିନିଧି ଉପସ୍ଥିତ ଅଛନ୍ତି ।