ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ସୋସିଆଲ ମିଡିଆରେ ଘୁରି ବୁଲିଲା ମନ୍ଦିର ଭିତର ଫୋଟ । ଏଥର କିନ୍ତୁ ମନ୍ଦିରର ଭିତର ବେଢା ନୁହେଁ ବଂର ଗର୍ଭଗୃହ ମଧ୍ୟରେ ଥିବା ଠାକୁରଙ୍କର ପଡିଛି ପାଳି । ଆଜି ସୋସିଆଲ ମିଡିଆ ଫେସବୁକରେ ଲିଙ୍ଗରାଜ ମହାପ୍ରଭୁଙ୍କ ଗର୍ଭଗୃହର ବେଶର ଫୋଟ ଜଣେ ବ୍ୟକ୍ତିଙ୍କର ଫେସବୁକ ଆକାଉଣ୍ଟରେ ଭାଇରାଲ ହୋଉଥିବାର ଦେଖିବାକୁ ମିଳୁଛି ।
କିଛିଦିନ ପୂର୍ବେ ପୁରୀ ଜଗନ୍ନାଥ ମନ୍ଦିର ଭିତର ବେଢାର ଫୋଟ ଟିକଟକ ଭଳି ସୋସିଆଲ ମିଡିଆରେ ଘୁରି ବୁଲିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଦିଆଯାଇଥିଲା ହେଲେ ଆଜି କିନ୍ତୁ ସେସବୁ ସୁରକ୍ଷା ବ୍ୟବସ୍ଥା ଉପରେ ଯେପରି ସୃଷ୍ଟି ହୋଇଯାଇଛି ପ୍ରଶ୍ନବାଚୀ । ଧର୍ମର ମାସ କାର୍ତ୍ତିକ ଚାଲିଥିବାରୁ ଭକ୍ତଙ୍କର ଭିଡ ମନ୍ଦିର ମାନଙ୍କରେ ଦେଖିବାକୁ ମିଳିଥାଏ । ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଓ ଭକ୍ତ କିପରି ସୁରକ୍ଷିତ ଓ ସୁନ୍ଦର ଭାବେ ଠାକୁରଙ୍କର ଦର୍ଶନ କରି ପାରିବେ ସେଥିପାଇଁ ପୋଲିସ ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥାଏ ।
କାର୍ତ୍ତିକ ମାସରେ ମନ୍ଦିର ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ଦାମୋଦର ବେଶ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଭେଶକୁ ଦର୍ଶନ କରିବା ଲାଗି ବିଭିନ୍ନ ସ୍ଥାନରୁ ଭକ୍ତ ଆସିଥାନ୍ତି ହେଲେ ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ଏହି ବେଶ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ନେବାକୁ ବାରଣ ଥିବା ବେଳେ କିପରି ମନ୍ଦିର ଭିତରକୁ ମୋବାଇଲ ଫୋନ ଗଲା ଏବଂ ଫୋଟ ଉଠାଯାଇ ଭାଇରାଲ ହେଲା ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଚଳିତ ବର୍ଷ ଅକ୍ଟୋବର ୧୪ ତାରିଖରେ ପ୍ରଦୀପ ପାତ୍ର ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଲିଙ୍ଗରାଜ ମହାପ୍ରଭୁଙ୍କ ଦାମୋଦର ବେଶର ଫୋଟ ପୋଷ୍ଟ ହୋଇଥିବା ଜଣାପଡିଛି ।