ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରକୁ ହୁଏତ କେନ୍ଦ୍ର ଶାସିତ ପ୍ରଦେଶର ଆକ୍ଷା ଦିଆ ଯାଇଛି ସତ, କିନ୍ତୁ ସେଠାକାର ଶାସନ ବର୍ତ୍ତମାନ ଲେଫ୍ଟିନାଣ୍ଟ ଗଭର୍ଣ୍ଣରଙ୍କ ହାତରେ ନୁହେଁ ବରଂ ରାଷ୍ଟ୍ରପତିଙ୍କ ଦ୍ୱାରା ଚଲାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଗୁରୁବାର ଦିନ ଜାରି କରାଯାଇଥିବା ଆଦେଶ ମୁତାବକ ଲେଫ୍ଟିନାଣ୍ଟ ଗଭର୍ଣ୍ଣର ଜିସି ମୁର୍ମୁ ରାଷ୍ଟ୍ରପତିଙ୍କ ଆଦେଶ ପାଳନ କରିବେ ।
ଏହି ବ୍ୟବସ୍ଥା ବର୍ତ୍ତମାନ ଅନିଶ୍ଚିତ କାଳ ଯାଏଁ ରହିବ । କୁହାଯାଉଛି କି ଜାମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନ ଏବଂ ସରକାର ଗଠନ ହେବା ପରେ ହିଁ ସେଠାକାର ଶାସନ ଜେଏଣ୍ଡର ପୁନର୍ଗଠନ ଆଇନ ଅନୁଯାୟୀ ଚଲାଯିବ । ମାତ୍ର ଏହି ଆଇନ ଅନୁଯାୟୀ ଲଦାଖରେ ଲେଫ୍ଟିନାଣ୍ଟ ଗଭର୍ଣ୍ଣରଙ୍କ ଦ୍ୱାରା ଶାସନ ଚାଲିବ । ସବୁଠାରୁ ବଡ କଥା ହେଉଛି ବିନା ବିଧାନସଭା ଯୁକ୍ତ କେନ୍ଦ୍ର ଶାସିତ ପ୍ରଦେଶ ହେଉଛି ଲଦାଖ ।
ଏହା ପୂର୍ବରୁ ଏକ ଅଧ୍ୟାଦେଶ ଜରିଆରେ ଜାମ୍ମୁ-କାଶ୍ମୀରରେ ଏପର୍ଯ୍ୟନ୍ତ ଅନୁଚ୍ଛେଦ ୩୫୬ରେ ଲାଗୁ ରାଷ୍ଟ୍ରପତି ଶାସନକୁ ଶେଷ କରିଛନ୍ତି ରାଷ୍ଟ୍ରପତି । କାରଣ କେନ୍ଦ୍ର ଶାସିତ ପ୍ରଦେଶରେ ଅନୁଚ୍ଛେଦ ୩୫୬ ଲାଗୁ ହେଉନାହିଁ । ସେଥିପାଇଁ ରାଷ୍ଟ୍ରପତି ଜେଏଂଡକେ ପୁନର୍ଗଠନ ଆଇନର ଧାରା ୭୩ ଅନୁଯାୟୀ ଜାମ୍ମୁ-କାଶ୍ମୀରର ଶାସନ ନିଜ ହାତରେ ରଖିଛନ୍ତି । ଅଧିସୂଚନା ମୁତାବକ,ପୁନର୍ଗଠନ ଆଇନ ଧାରା ୭୩ ଅନୁଯାୟୀ ବିଶେଷ ପରିସ୍ଥିତିରେ ରାଷ୍ଟ୍ରପତି ଜାମ୍ମୁ-କାଶ୍ମୀରର କମାଣ ହାତକୁ ନେଇ ପାରନ୍ତି ।