ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଗୋଟିଚାଳନା । ଶେଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପାଦ ଥାପିଛନ୍ତି । ରାହୁଲ , ପ୍ରିୟଙ୍କାଙ୍କୁ କଂଗ୍ରେସ ମହାସଚିବ ଭାବେ ନିଯୁକ୍ତି କରିଛନ୍ତି । ତାଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ଦିଆଯାଇଛି । ପ୍ରିୟଙ୍କା ରାଜନୀତିରେ ଯୋଗ ଦେବାକୁ ନେଇ ଢେର ଦିନ ହେବ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଉଥିଲା । ଶେଷରେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଅସଲ ରୂପ ଦେଖାଇଛି ।
ଅନ୍ୟପଟେ ପ୍ରିୟଙ୍କାଙ୍କୁ କଂଗ୍ରେସରେ ଦାୟିତ୍ୱ ମିଳିବା ପରେ ତାଙ୍କ ସ୍ୱାମୀ ରୋବର୍ଟ ଭଦ୍ରା ପ୍ରତିକ୍ରିୟା ରଖିଛନ୍ତି । ରୋବର୍ଟ ତାଙ୍କ ଫେସବୁକ୍ ଆକାଉଣ୍ଟରେ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ସେ ସର୍ବଦା ତାଙ୍କ ସହିତ ଅଛନ୍ତି ବୋଲି ଜଣାଇଛନ୍ତି ।
ସେହିପରି ବରିଷ୍ଠ ନେତା ମୋତିଲାଲ ବୋରା କହିଛନ୍ତି କି, ହୁଏତ ପ୍ରିୟଙ୍କାଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ଦିଆଯାଇଛି କିନ୍ତୁ ଏହାର ପ୍ରଭାବ ପୂରା ଦେଶରେ ପଡିବ । ଉତ୍ତର ପ୍ରଦେଶରେ କଂଗ୍ରେସ ନିଜର ଦବ୍ ଦବା ସହ ନିର୍ବାଚନ ଲଢିବ ।
ପ୍ରିୟଙ୍କାଙ୍କ ଏହି ଦାୟିତ୍ୱକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ପ୍ରିୟଙ୍କା ଗାନ୍ଧୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିୟା ଉଭୟେ ଶକ୍ତିଶାଳୀ ନେତା । ଆମେ ଚାହୁଁଥିଲେ ଉତ୍ତର ପ୍ରଦେଶର ପରିବର୍ତ୍ତନ ଯୁବାନେତା ଦ୍ୱାରା ହିଁ ହେବ । ମାୟାବତୀ ଜୀ ଏବଂ ଅଖିଳେଶ ଜୀ ଙ୍କ ସହିତ କୌଣସି ଶତୃତା ନାହିଁ । ବାସ୍ତବରେ ମୁଁ ତାଙ୍କୁ ବହୁତ ସମ୍ମାନ କରେ । ଯେଭଳି ସମ୍ଭବ ହେବ ମୁଁ ତାଙ୍କୁ ସହଯୋଗ କରିବା ପାଇଁ ପ୍ରସ୍ତୁତ । ସିଧାକହିବାକୁ ଗଲେ ବିଜେପିକୁ ହରାଇବା ଉଦ୍ଦେଶ୍ୟରେ କ୍ରଂଗ୍ରେସ ଏହି ନିଷ୍ପତ୍ତି ନେଇଛି ।