ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମ ସମାଜରେ ବେରୋଜଗାରୀ ଏକ ଗମ୍ଭୀର ସମସ୍ୟା ଏବଂ ବେରୋଜଗାରୀଙ୍କୁ ନେଇ ସବର୍ଦା ବିତର୍କ ହୋଇଥାଏ । ଇତି ମଧ୍ୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୁବ୍ ଶୀଘ୍ର ୨ ଲକ୍ଷ ସରକାରୀ ଚାକିରୀ ଦେବାର ଘୋଷଣା କରିଛନ୍ତି । ଏନେଇ ସେ କହିଛନ୍ତି, ଏହି ଚାକିରୀରେ କୌଣସି ମତଭେଦ ଏବଂ ଭ୍ରଷ୍ଟାଚାର ରହିବ ନାହିଁ, କେବଳ ଯୋଗ୍ୟତା ଆଧାରରେ ଚାକିରୀ ଦିଆଯିବ ।
ରାମପୁର ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାରତ ଭୂଷଣ ଗୁପ୍ତାଙ୍କୁ ସମର୍ଥନ ପାଇଁ ଅଜିତପୁରରେ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ର୍ୟାଲିରେ ଯୋଗୀ କହିଛନ୍ତି କି, ଆମେ ସର୍ବଦା ବିନା ମତଭେଦରେ କାମ କରିଛୁ । ଜାତିବାଦ ଏବଂ ପରିବାରବାଦ ଭଳି କୌଣସି କାମ କରିନାହୁଁ । ପୂର୍ବରୁ ବି ଦେଢ ଲକ୍ଷ ବ୍ୟକ୍ତି ଚାକିରୀରେ ସେମାନଙ୍କ ଯୋଗ୍ୟତା ଦେଖି ଭର୍ତ୍ତି କରାଇଥିଲୁ । ଯେଉଁ ବ୍ୟକ୍ତି ଭ୍ରଷ୍ଟାଚାର କରିବା ପାଇଁ ଚେଷ୍ଟା କରିଥିଲା ତାଙ୍କୁ ଜେଲ ପଠାଯାଇଥିଲା । ଆଗକୁ ବି ଏଭଳି ହେବ । ଆପଣମାନେ ବିଲକୁଲି ଚିନ୍ତା କରନ୍ତୁନି । ଆପଣଙ୍କର ସୁରକ୍ଷା ଏବଂ ସମୃଦ୍ଧିର ପୁରା ଦାୟିତ୍ୱ ଆମର ।
ସେ ଆହୁରୀ ମଧ୍ୟ କହିଛନ୍ତି, ପରିବାରବାଦ, ଜାତିବାଦ, କ୍ଷେତ୍ରବାଦ ପୂର୍ବରୁ ୟୁପି ରେ ଗୁଣ୍ଡାରାଜ ଚାଲିଥିଲା କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । ପ୍ରଦେଶରେ ଦୁଇ ଲକ୍ଷ କୋଟି ନିବେଶ ହେଉଛି । ଯାହାଫଳରେ ୨୦ ଲକ୍ଷ ବେରୋଜଗାରୀଙ୍କୁ ଚାକିରୀ ମିଳିବ । ଏହାସହିତ ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀରରୁ ଧାରା ୩୭୦ ହଟାଇ ଦେଶର ମାନ ବଢାଇଛନ୍ତି । ସେହିଅନୁଯାୟୀ ବର୍ଷ ୨୦୨୨ ସୁଧା ଦେଶରେ ବେରୋଜଗାର , ଅଶିକ୍ଷିତ ଏବଂ ଗରିବ ରହିବ ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଭଲ ରୋଜଗାର ଥିବ । ଆଉ ଚାରିଆଡେ ଖାଲି ଖୁସି ।