ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁଜୁରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ସୁପ୍ରିମ କୋର୍ଟରୁ ବଡ ଝଟକା ଲାଗିଛି । ମେହସାଣା ଦଙ୍ଗା ମାମଲାରେ ଜରୁରୀ କାଳୀନ ଶୁଣାଣିକୁ ନେଇ ହାର୍ଦ୍ଦିକଙ୍କ ଅପିଲକୁ ସୁପ୍ରିମ କୋର୍ଟ ପକ୍ଷରୁ ଏଡାଇ ଦିଆଯାଇଛି ।
ବର୍ଷ ୨୦୧୫ରେ ମେହସାଣା ଦଙ୍ଗାରେ ହାର୍ଦ୍ଦିକ ପଟେଲଙ୍କୁ ଦୋଷି ସାବ୍ୟସ୍ତ କରାଯାଇଥିଲା । ଇତି ମଧ୍ୟରେ ନିର୍ବାଚନ ଲଢିବା ପାଇଁ ଆୟୋଗ୍ୟ ଘୋଷିତ କରାଯାଇଥିଲା । ଗୁଜୁରାଟ ହାଇକୋର୍ଟର ଏହି ମାମଲାକୁ ଚାଲେଞ୍ଜ ଦେବା ପାଇଁ ସେମାବାର ହାର୍ଦ୍ଦିକ ସୁପ୍ରିମ କୋର୍ଟରେ ପହଁଚିଥିଲେ । ଏହି ମାମଲାରେ ଜରୁରୀ କାଳିନ ଶୁଣାଣିକୁ ନେଇ ହାର୍ଦ୍ଦିକ ନିଜ ପିଟିସନରେ ସୁପ୍ରିମ କୋର୍ଟକୁ ଦାବି କରିଛନ୍ତି ।
ସୁପ୍ରିମ କୋର୍ଟର ବ୍ୟବସ୍ଥା ଏବଂ ଜନ ପ୍ରତିନିଧିତ୍ୱ କାନୁନ ଅନୁଯାୟୀ ଦୁଇ ବର୍ଷ କିମ୍ବା ତାଠାରୁ ଅଧିକ ସମୟ ଯାଏଁ ଜେଲ ଦଣ୍ଡ ଭୋଗିଥିବା ବ୍ୟକ୍ତି ସେପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ, ଯେପର୍ଯ୍ୟନ୍ତ ସେ ଦୋଷମୁକ୍ତ ନ ହୋଇଛନ୍ତି । ଏହାପୂର୍ବରୁ ଗୁଜୁରାଟ ହାଇକୋର୍ଟ ବି ହାର୍ଦ୍ଦିକଙ୍କ ଦଣ୍ଡକୁ ନିଲମ୍ବିତ କରିବା ପିଟିସନକୁ ରଦ୍ଦ କରିଦେଇଥିଲେ । ଗତ ବର୍ଷ ସେଶନ କୋର୍ଟ ପକ୍ଷରୁ ହାର୍ଦ୍ଦିକଙ୍କୁ ଦୁଇ ବର୍ଷ ପାଇଁ ଦଣ୍ଡ ଘୋଷଣା କରାଯାଇଥିଲା ।
ନିକଟରେ ହାର୍ଦ୍ଦିକ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏହାସହିତ ସେ ଜାମନଗର ସିଟରୁ ନିର୍ବାଚନ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । ସେପଟେ ନିର୍ବାଚନ ପାଇଁ ଅପ୍ରିଲ ୪ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଇତି ମଧ୍ୟରେ ସୁପ୍ରିମ କୋର୍ଟ ଦ୍ୱାରା ଏହି ମାମଲାକୁ ଜରୁରୀ କାଳୀନ ଶୁଣାଣିକୁ ଖାରଜ କରାଯିବା ପରେ ନିର୍ବାଚନ ଲଢିବାର ଆଶକୁ ଝଟକା ଲାଗଛି ।