ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ରାଜଦ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ତାଙ୍କ ସାନ ପୁଅ ତେଜସ୍ୱୀ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଖବର ସାମ୍ନାକୁ ଆସିଛି ।
ପ୍ରକୃତରେ ବିହାରରେ ଏବେ ନିର୍ବାଚନ ମାହୋଲ । ଉପନିର୍ବାଚନକୁ ନେଇ ସମସ୍ତ ରାଜନେତା ନିଜ ନିଜର ଜନସଭା କରୁଛନ୍ତି । ମହାଗଠବନ୍ଧନ ଏବଂ ଏନଡିଏ ପକ୍ଷରୁ ନିର୍ବଚନୀ ସଭା ଜାରି ରହିଛି । ଏହି ନିର୍ବାଚନ ସଭା ମଧ୍ୟରେ ବିହାରର ନେତା ପ୍ରତିପକ୍ଷ ତେଜସ୍ୱୀ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି ।
ଏନେଇ ଯୁବା ରାଜଦର ପ୍ରଦେଶ ପ୍ରବକ୍ତା ଅରୁଣ କୁମାର ଯାଦବ କହିଛନ୍ତି କି ତେଜସ୍ୱୀ ଯାଦବ ବୁଧବାର ଦିନ ଅନେକ ସ୍ଥାନକୁ ହେଲିକପ୍ଟର ଯୋଗେ ପ୍ରଚାର କରିବା ପାଇଁ ଯାଇଥାନ୍ତେ । ଏଥିପାଇଁ ହେଲିକପ୍ଟର ବି ଆସିଯାଇଥିଲା, ତେଜସ୍ୱୀ ଯାଦବଙ୍କର ଅଚାନକ୍ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ପ୍ରଚାର କରିବାକୁ ଯାଇପାରିନଥିଲେ । ପରେ ହେଲିକପ୍ଟର ପାଟଣା ଫେରି ଯାଇଥିଲା ।
ସୂଚନାଯୋଗ୍ୟ, ନେତା ପ୍ରତିପକ୍ଷ ତେଜସ୍ୱୀ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଯୋଗୁଁ ତାଙ୍କର ସମସ୍ତ ନିର୍ବାଚନ ସଭାକୁ ବାତିଲ କରାଯାଇଛି । ଯଦି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସେ ତେବେ ସେ ଗୁରୁବାର ନିର୍ବାଚନ ପ୍ରଚାର ପାଇଁ ବାହାରି ପାରିବେ ବୋଲି କୁହାଯାଉଛି । ରାଜଦ ନେତା ଉପନିର୍ବାଚନ ପ୍ରଚାର ପାଇଁ ଗତ ତିନି ଦିନ ହେବ ଭାଗଲପୁରରେ କ୍ୟାମ୍ପ କରୁଛନ୍ତି ।