ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତୃଣମୂଳ କଂଗ୍ରେସର ସାଂସଦ ଏବଂ ଅଭିନେତ୍ରୀ ଶତାବ୍ଧୀ ରାୟ ବୁଧବାର କୋଲାକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି କୁ ମୋଟା ଅଙ୍କର ଟଙ୍କା ଫେରାଇଛନ୍ତି । ଶାରଦା ଗୃପ ଅଫ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ହିସାବରେ ମିଳିଥିବା ୩୦.୬୪ ଲକ୍ଷ ଟଙ୍କା ଇଡିକୁ ସେ ଫେରସ୍ତ କରିଛନ୍ତି । ଏନେଇ ଇଡି ପକ୍ଷରୁ ରାୟଙ୍କୁ ଅନେକ ଥର ପଚରା ଉଚରା କରାଯାଇଥିଲା । ସେପଟେ ରାୟ ଜୁଲାଇ ୩୧ରେ ଇଡିକୁ ଚିଠି ଲେଖି ଟଙ୍କା ଫେରସ୍ତ କରିବା ପାଇଁ ଇଛା ପ୍ରକାଶ କରିଥିଲେ ।
ଇଡି ସୂତ୍ର ମୁତାବକ, ୩୦.୬୪ ଲକ୍ଷ ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ମିଳିଛି, ଯାହାକୁ ବୁଧବାର ଦିନ ଏଜେନ୍ସି କାର୍ଯ୍ୟାଳୟକୁ ପଠାଯାଇଛି । ଇତି ମଧ୍ୟରେ ଗଣମାଧ୍ୟମକୁ ସାକ୍ଷାତକରି ରାୟ କହିଛନ୍ତି କି , ହଁ ମୁଁ ଟଙ୍କା ପଠାଇ ଦେଇଛି ।
ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିଲେ ଶତାବ୍ଧୀ ରାୟ । ଏହାସହିତ ସେ ଦୁଇ ଥର ବୀର ଭୂମିରୁ ସାଂସଦ ହୋଇଛନ୍ତି । ତାଙ୍କୁ ଶାରଦା ଚିଟ୍ ଫଣ୍ଡ ପକ୍ଷରୁ ବ୍ରାଣ୍ଡ ଆମ୍ବାସାଡର କରାଯାଇଥିଲା ।
୨୦୧୩ ମସିହା ଅପ୍ରିଲ ମାସରୁ ଏହି ଚିଟ୍ ଫଣ୍ଡ କମ୍ପାନୀ ବନ୍ଦ ହୋଇଯାଇଛି । ଏହି ମାମଲାର ତଦନ୍ତ ପ୍ରଥମରୁ ପଶ୍ଚିମବଙ୍ଗ ପୋଲିସର ଟାସ୍କ ଫୋର୍ସ କରୁଥିଲେ । ହୁଏତ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପରେ ସିବିଆଇ ମାମଲାକୁ ଉଠାଇଥିଲା ।