ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) : ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା । ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ସଙ୍ଗେ ସଙ୍ଗେ ଏନଡିଏର ମଧ୍ୟ ହାତ ଛାଡିଛନ୍ତି ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା । ବିହାର ରାଜନୀତିରେ ଏହାର ଯଥେଷ୍ଟ ପ୍ରଭାବ ପଡିବା ଆଶଙ୍କା କରାଯାଉଛି ।
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମାନବ ସମ୍ବଳ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିବା ଉପେନ୍ଦ୍ର ଗତ କିଛି ଦିନ ଧରି ଭାଜପା ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରି ଆସୁଥିଲେ । ଏପରିକି ଆସନ୍ତା ୨୦୧୯ ନିର୍ବାଚନରେ ଏନଡିଏ ସହଯୋଗୀ ଭାବେ ତାଙ୍କ ଦଳକୁ ମାତ୍ର ୨ଟିରୁ ଅଧିକ ସିଟ ମିଳିବ ନାହିଁ ବୋଲି ସଙ୍କେତ ପାଇବା ପରେ ସେ ଅସନ୍ତୁଷ୍ଟ ଥିଲେ । ଯାହାକୁ ନେଇ ସେ ଶୀତ ଅଧିବେଶନ ପୂର୍ବରୁ ଏନଡିଏ ଛାଡିବା ନେଇ ସଙ୍କେତ ଦେଇଥିଲେ ।
ତେବେ ଉପେନ୍ଦ୍ରଙ୍କୁ ଆଇନା ଦେଖାଇଛି କଂଗ୍ରେସ । ଦଳ କହିଛି ଯଦି ମହାମେଣ୍ଟରେ ଯଦି ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଯୋଗ ଦିଏ ତେବେ ସେଠାରେ ମୁଖ୍ୟମନ୍ତ୍ରୀ ଚୌକିର କୌଣସି ଭ୍ୟାକେନ୍ସି ନାହିଁ ।
ବିହାର ନିର୍ବାଚନରେ ଏନଡିଏ ବିରୋଧରେ ନିର୍ବାଚନ ଲଢ଼ିବା ନେଇ ପୂର୍ବରୁ ସଙ୍କେତ ଦେଇଥିଲେ ଉପେନ୍ଦ୍ର । ବିହାରର ମୋତିହାରୀ ଠାରେ ଆୟୋଜିତ ଏକ ସଭାରେ ଏନେଇ ସେ କହିଥିଲେ ଏବେ ଆବେଦନ ନୁହେଁ ବରଂ ଲଢ଼େଇ ଜୋରଦାର ହେବ ।