ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କର୍ଣ୍ଣାଟକ ବିଧାନସଭାରେ ବାଚସ୍ପତି ପଦରୁ କେଆର ରମେଶ କୁମାର ଇସ୍ତଫା ଦେବା ପରେ ଭିଶେଶ୍ୱର ହେଗଡେ କଗେରୀଙ୍କୁ ବିଧାନସଭାରେ ନୂତନ ଅଧ୍ୟକ୍ଷ ଭାବେ ବଛାଯାଇଛି । ମଙ୍ଗଳବାର କଗେରୀ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ବିପକ୍ଷରେ କୌଣସି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଭିଶେଶ୍ୱର ବିଜେପିର ଜଣେ ବରିଷ୍ଠ ବିଧାୟକ । ଏହାସହିତ ସେ ଛଅ ଥର ବିଧାୟକ ହୋଇ ସାରିଛନ୍ତି ।
ସୋମବାର ଦିନ କର୍ଣ୍ଣାଟକ ବିଧାନସଭା ସଚିବାଳୟର ଜଣେ ଅଧିକାରୀ କହିଛନ୍ତି କି, ଆମକୁ କେବଳ ଭିଶେଶ୍ୱା ରାଓ ହେଗଡେ କାଗେରୀଙ୍କ ନାମାଙ୍କନ ପତ୍ର ମିଳିଛି । ଯେଉଁ ସମୟରେ ସେ ତାଙ୍କ ନାମାଙ୍କନ ପତ୍ର ସଚିବାଳୟର ଅଧିକାରୀଙ୍କୁ ହସ୍ତାନ୍ତର କଲେ ସେତେବେଳେ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ,ବିଜେପି ନେତା ଗୋବିନ୍ଦ କରଜୋଲ, ଆର ଅଶୋକ,ଜଗଦୀଶ ଶେଟ୍ଟାର, କେ ଏସ ଇଶ୍ୱରପ୍ପା ଏବଂ ଏସ ସୁରେଶ କୁମାର ଉପସ୍ଥିତ ଥିଲେ ।
ରମେଶ କୁମାର ତାଙ୍କର ୧୪ ମାସର କାର୍ଯ୍ୟକାଳ ପରେ ସୋମବାର ଦିନ ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ଜେଡିଏସ ଗଠବନ୍ଧନ ସରକାର ଭାଙ୍ଗିବା ପରେ ସେ ଏଭଳି ନିଷ୍ପତି ନେଇଛନ୍ତି । ସେପଟେ ସଦନରେ ୟେଦୟୁରପ୍ପା ତାଙ୍କ ବହୁମତ ସାବସ୍ତ୍ୟ କରିଦେଇଛନ୍ତି । ଏନେଇ କଂଗ୍ରେସ ପ୍ରବକ୍ତା କହିଛନ୍ତି କି, ଆମେ ଆମ ପକ୍ଷରୁ କୌଣସି ପ୍ରର୍ଥୀକୁ ଛିଡା କରିନାହୁଁ କାରଣ ବିଜେପି ପାଖରେ ବହୁମତ ରହିଛି । ସେପଟେ ଜେଡିଏସ ବି ସମାନ କଥା କହିଛନ୍ତି ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସକ୍ରିୟ ସଦସ୍ୟ ହେବା ପରେ ରାଜନୀତି ମଇଦାନକୁ କଗେରୀ ଓହ୍ଲାଇଥିଲେ । ଏହାପରେ ସେ ୧୯୯୪ରେ କର୍ଣ୍ଣାଟକର ଅଙ୍କୋଲା ବିଧାନସଭା ସିଟ୍ ରୁ ବିଧାୟକ ଭାବେ ବଛାହେଲେ । ଏହାପରେ ସେ ଆଉ ପଛକୁ ଫେରି ନାହାନ୍ତି । ସେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇ ସାରିଛନ୍ତି ।