ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଏବଂ ଫଳଫଳ ସାମ୍ନାକୁ ଆସିବା ପରେ ବି ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ହିଂସାତ୍ମକ ଘଟଣା ଘଟି ଚାଲିଛି । ରାଜ୍ୟରେ ବିଗିଡି ଥିବା ଆଇନ ବ୍ୟବସ୍ଥାକୁ ନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନି ଦିଆଯାଇଛି । ସେପଟେ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ ପଶ୍ଚିମବଙ୍ଗର ରାଜ୍ୟପାଳ କିଶରୀନାଥ ତ୍ରିପାଠୀ । ହୁଏତ ଏନେଇ କିଶରୀନାଥ କହିଛନ୍ତି କି ମୋଦିଙ୍କ ସହ ତାଙ୍କ ଶିଷ୍ଟାଚାର ସାକ୍ଷତ ରହିଛି । ଏହାକୁ ଅନ୍ୟ କୌଣସି ଦୃଷ୍ଟିରେ ନ ଦେଖାଯାଉ । ଅନ୍ୟପଟେ ଏହାକୁ ନେଇ ଭିନ୍ନ ଭିନ୍ନ କଥା ଉଠୁଛି ।
ଏପଟେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହା ଏକ ବିଶେଷ ବୈଠକ ରଖିଛନ୍ତି । ଏଥିରେ ଗୃହସଚିବ ରାଜୀବ ଗୌବା, ଏନଏସଏ ଅଜିତ ଡୋଭାଲ, ଆଇବି ପ୍ରମୁଖ ଏବଂ ଗୃହମନ୍ତ୍ରାଳୟର ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ପଶ୍ଚିମବଙ୍ଗରେ ହେଉଥିବା ହିଂସାକାଣ୍ଡ ବିଷୟରେ ଚର୍ଚ୍ଚା ହୋଉଛି ବୋଲି ମିଡିଆ ସୂତ୍ରରୁ ଜାଣିବାକୁ ମିଳିଛି ।
ଖବରମୁତାବକ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନର୍ଜିଙ୍କ ଦଳ ଟିଏମସି ଏବଂ ବିଜେପି ମଧ୍ୟରେ ସର୍ବଦା ଲାଗିଥିବା ବିବାଦକୁ ନେଇ ଗୃହମନ୍ତ୍ରାଳୟ ପକ୍ଷୟରୁ ଆଡଭାଇଜରୀ ଜାରି କରାଯାଇ ଚେତାବନୀ ଦିଆଯାଇଛି । ସେହପରି ପଶ୍ଚିମବଙ୍ଗର ପୋଲିସର ଟକରା ଟକରି ପରେ ବିଜେପି ଆଜି ପଶ୍ଚିମବଙ୍ଗରେ କଳା ଦିବସ ପାଳନ କରୁଛି ।
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନାରେ ଶନିବାର ହୋଇଥିବା ହିଂସା ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ପୋଲିସ ଏବଂ ନେତାଙ୍କ ମଧ୍ୟରେ ଟକରା ଟକରି ହୋଇଥିଲା । ଏହାପରେ ପୋଲିସ ଉପରେ ମନମାନି କରୁଥିବାର ଅଭିଯୋଗ ଲଗାଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବଶୀରହାଟ ବନ୍ଦ ଡାକରା ଦିଆଯିବା ସହିତ ପଶ୍ଚିମବଙ୍ଗରେ କଳାଦିବସ ପାଳନ ପାଇ ଘୋଷଣା କରାଯାଇଛି ।