ବାଲେଶ୍ୱର ( ଏଟିଆର ବ୍ୟୁରୋ): ଦିଲ୍ଲୀରୁ ନିଜ ଘରକୁ ଆସିବା ପରେ ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଗତକାଲି ପ୍ରତାପ ଷଡଙ୍ଗୀ ବାଲେଶ୍ୱର ନୀଳଗିରି ନିଜ ଗାଁକୁ ଯାଇଥିଲେ । ପୂର୍ବରୁ ପ୍ରତାପ ଷଡଙ୍ଗୀ ନିର୍ବାଚନରେ ପ୍ରାର୍ଥୀ ହେବା ବେଳେ ଠାରୁ ତାଙ୍କ ସରଳ ଜୀବନ ଶୈଳିକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଗତକାଲି ସମସ୍ତେ ଭାବୁଥିଲେ ହୁଏତ କେନ୍ଦ୍ରମନ୍ତ୍ରୀ ହେବା ପରେ ନନାଙ୍କର ଜୀବନ ଶୈଳିରେ କିଛି ପରିବର୍ତ୍ତନ ଦେଖାଯିବ ।
ଯାହା ଉପରେ ରହିଥିଲା ସମସ୍ତଙ୍କର ନଜର । ହେଲେ ଆଜି ସକାଳୁ ଦେଖିବାକୁ ମିଳିଛି ନନାଙ୍କର ପୂର୍ବ ଅପେକ୍ଷା କୌଣସି ପରିବର୍ତ୍ତନ ହୋଇନାହିଁ । ପ୍ରତିଦିନ ଗାଁ ପୋଖରିରେ ଗାଧୋଇବା ଭଳି ଆଜି ମଧ୍ୟ ନନା ପୋଖରିରେ ଗାଧୋଇ ପ୍ରଭୁଙ୍କ ଆରଧନା ପାଇଁ ଗଡୁରେ ପାଣି ଆଣି ଠାକୁର ଘର ଝାଡୁ କରି ପୂଜାର୍ଚ୍ଚନା କରିଥିଲେ । ସେହିଭଳି ଦିଲ୍ଲୀରେ ଦିଆ ଯାଉଥିବା ବିଦେଶୀ ଖାଦ୍ୟ ମଧ୍ୟ ନନାଙ୍କୁ ପସନ୍ଦ ଆସୁନଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ ଦିଲ୍ଲୀରେ ନନାଙ୍କ ପାଇଁ ଭାତ ଏବଂ ରାଜମାର ବ୍ୟବସ୍ଥା କରାଯାଇଛି । ମାତ୍ର ନନାଙ୍କୁ ସେ ଖାଦ୍ୟ ଭଲ ଲାଗୁନଥିବା ସେ କହିଛନ୍ତି । ଯେଉଁଥି ପାଇଁ ନନା ପଖାଳ ଖାଇବା ପାଇଁ ଓଡିଶା ଭବନ ଆସିଥାନ୍ତି । ନନା ଅହୁରି ମଧ୍ୟ କହିଛନ୍ତି ସେ ତାଙ୍କ ଜୀବନ ଧାରାକୁ କେବେ ବଦଳାଇ ପାରିବେ ନାହିଁ । ସେ ଆଗରୁ ଯେମିତି ଥିଲେ ସେମିତି ରହିବେ ।