ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ସକାଳ ୬ ଟାରେ ତିହାର ଜେଲରେ ଫାଶୀ ପାଇଥାନ୍ତେ ନିର୍ଭୟା ଗଣଦୁଷ୍କର୍ମର ୪ ଅଭିଯୁକ୍ତ । ଏଥିପାଇଁ ତିହାର ଜେଲରେ ପ୍ରସ୍ତୁତି ମଧ୍ୟ ସରିଥିଲା । ଡେମୋ ମଧ୍ୟ ହୋଇ ସାରିଥିଲା । ମାତ୍ର ଗତକାଲି ଦିଲ୍ଲୀର ପଟିଆଲା ହାଉସକୋର୍ଟ ଏହା ଉପରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରୋକ ଲଗାଇଛନ୍ତି । ଯାହାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି । ତେବେ ଆଜି ରାଷ୍ଟ୍ରପତି ଅଭିଯୁକ୍ତ ବିନୟର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି । ଏବେ ବିନୟ ପାଖରେ ରାଜକ୍ଷମା ଆବେଦନ ସରିଥିବା ବେଳେ ସେ କେବଳ ଏହାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରି ପାରିବ । ଅକ୍ଷୟ ପାଖରେ ଏବେ ରାଜକ୍ଷମା ଆବେଦନ କରିବାର ସୁଯୋଗ ରହିଛି । ସେହିଭଳି ପୱନ ପାଖରେ ମଧ୍ୟ ଏବେ ରାଜକ୍ଷମା ଆବେଦନ ଓ କ୍ୟୁରି ପିଟିସନ ପାଇଁ ବିକଳ୍ପ ରହିଛି । ସମସ୍ତ ଅଭିଯୁକ୍ତଙ୍କର ଆଇନଗତ ପକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ଆଇନ ରହିଛି ।
ତେଣୁ ଏବେ ଅଭିଯୁକ୍ତମାନେ କିଛି ଦିନ ଫାଶୀକୁ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି । ସୂଚନାଯୋଗ୍ୟ ଗତକାଲି ଅଭିଯୁକ୍ତ ବିନୟ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ କୋର୍ଟରେ ଆବେଦନ କରିଥିଲା । ସେ ଦର୍ଶାଇଥିଲା କି ଏବେ ମଧ୍ୟ ତା ପାଖରେ ରାଜକ୍ଷମା ଆବେଦନ କରିବା ପାଇଁ ବିକଳ୍ପ ବାକି ରହିଛି । ତେବେ ଏହି ଆବେଦନ ପରେ ଆଜି ପଟିଆଲା ହାଉସ କୋର୍ଟ ଫାଶୀ ଉପରେ ରୋକ ଲଗାଇଛନ୍ତି । ସେପଟେ ଏହାକୁ ନେଇ ସରକାରୀ ଓକିଲ କହିଥିଲେ ବିନୟ ରାଜକ୍ଷମା ଆବେଦନ କରିଛି । ମାତ୍ର ଅନ୍ୟ ତିନିଜଣଙ୍କୁ ନିର୍ଦ୍ଦାରିତ ତାରିଖରେ ଫାଶୀ ଦିଆଯାଉ । ମାମଲା ଲଢୁଥିବା ଓକିଲ କହିଥିଲେ ଯେଉଁ ପର୍ୟ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କ ବିକଳ୍ପ ଶେଷ ନ ହୋଇଛି ସେ ପର୍ୟ୍ୟନ୍ତ ସେ ପର୍ୟ୍ୟନ୍ତ ସମାନ ମାମଲାରେ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବ ନାହିଁ ।