ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ୧୭ ତମ ଲୋକସଭା ନିମନ୍ତେ ବିଜେପି ସାଂସଦ ଡ. ବିରେନ୍ଦ୍ର କୁମାରଙ୍କୁ କାମଚଳା ବାଚସ୍ପତି ଭାବେ ମନୋନୀତ କରାଯାଇଛି । ସେ ନବନିର୍ବାଚିତ ସାଂସଦ ମାନଙ୍କୁ ନିଜ ପଦର ଗୋପନୀୟତାର ଶପଥ ପାଠ କରାଇବେ । କାମଚଳା ବାଚସ୍ପତି ଭାବେ ମନୋନୀତ ହୋଇଥିବା ବିରେନ୍ଦ୍ର ଏଯର୍ଯ୍ୟନ୍ତ ସାତ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଚାରିଥର ଟିକମଗଡ ଲୋକସଭା ଆସନ ଓ ତିନିଥର ସାଗର ସିଟ ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀଙ୍କୁ ୩.୪୮ ଲକ୍ଷ ଭୋଟରେ ହରାଇଛନ୍ତି ।
ତେବେ ଆସନ୍ତୁ ଜାଣିବା ବିରେନ୍ଦ୍ର କୁମାରଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା । ୧୯୫୪ ମସିଆ ଫେବୃଆରୀ ୨୭ ତାରିଖରେ ମଧ୍ୟପ୍ରଦେଶର ସାଗର ସହରରେ ବିରେନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ଅର୍ଥଶାସ୍ତ୍ରରେ ଏମଏ ବାଳଶ୍ରମ ପ୍ରସଙ୍ଗକୁ ନେଇ ପିଏଚଡି କରିଛନ୍ତି । ଏହି ନେତା କିଛି ବର୍ଷ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଙ୍ଗର କାର୍ଯ୍ୟକର୍ତ୍ତା ମଧ୍ୟ ରହିଥିଲେ । ସେହିଭଳି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଶ୍ୱ ହିନ୍ଦୁ ପରିଷଦ ସହିତ ବିଜେପିର ବିଭିନ୍ନ ପଦ ପଦବୀରେ ରହିଛନ୍ତି ।
ମୋଦି ସରକାରଙ୍କର ପ୍ରଥମ ପାଳିରେ ସେ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ସାମିଲ ହୋଇଥିଲେ । ଯୁବ ଅବସ୍ଥାର ବିରେନ୍ଦ୍ର ତାଙ୍କ ପିତାଙ୍କର ଥିବା ଏକ ସାଇକେଲ ଦୋକାନରେ ବସିବା ସହିତ ପାଠ ପଡୁଥିଲେ । ଏମିତି କି ନିଜ ସଂସଦୀୟ କ୍ଷେତ୍ରରେ କାହାର କେବେ କେବେ ପଙ୍କଚର ମଧ୍ୟ ମାରିଦିଅନ୍ତି । ସଂସଦରେ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ ନହେବା ପର୍ଯ୍ୟନ୍ତ ବିରେନ୍ଦ୍ର ସଂସଦରେ କାମଚଳା ବାଚସ୍ପତି ରହିବେ ।