ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ଚିନ୍ତା ବଢାଇଲା ରାଗିଂ । ଗତ ସାତ ବର୍ଷ ମଧ୍ୟରେ ୫୪ ଜଣ କଲେଣି ଆତ୍ମହତ୍ୟା । ୪୬୯୬ ମାମଲା ଦାୟର । ଗତ ମେ ମାସରେ ବିୱାଇଏଲ ହସ୍ପିଟାଲରେ ଗାଇନୋଲୋଜି ( ସ୍ତ୍ରୀ ରୋଗ) ବିଭାଗରେ ପାଠ ପଡୁଥିବା ଛାତ୍ରୀ ଡା. ପାୟଲ ତଡବୀ ଙ୍କ ଉପରେ ହୋଇଥିବା ରାଗିଂରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ସେ ସମୟରେ ଚର୍ଚ୍ଚା ଜୋର ଧରିଥିଲା । କଲେଜେରେ ଏଣ୍ଟିରାଗିଂ ସେଲ ବ୍ୟତୀତ ପୁଲିସ ମଧ୍ୟ ମାମଲାର ଯାଞ୍ଚପାଇଁ ସ୍ପେଶାଲ କମିଟି ଗଠନ କରିଥିଲା ।
ତେବେ କିଭଳି କଲେଜରେ ରାଗିଂ କମ ହେବ ତାର ଦାୟିତ୍ୱ ୟୁଜିସିର ରହିଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟାଗ ( ୟୁଜିସି)ର ରିପୋର୍ଟ ଅନୁସାରେ ଗତ ସାତ ବର୍ଷ ମଧ୍ୟରେ ପାଖାପାଖି ୫୪ ଜଣଙ୍କର ମୃତ୍ୟୃୁ ହୋଇଛି । ସେହିଭଳି ସାତ ବର୍ଷ ମଧ୍ୟରେ ରାଗିଂକୁ ନେଇ ୪୬୯୬ ଟି ମାମଲା ଥାନାରେ ରୁଜ୍ଜୁ ହୋଇଛି । ତେବେ ବଢୁଥିବା ରାଗିଂରେ ରୋକ ଲଗାଇବା ପାଇଁ ୟୁଜିସି ଏବେ ସବୁ କଲେଜରେ ରାଗିଂ ସେଲ ଗଠନ କରିବାକୁ ନିଷ୍ପତ୍ତି ନେଇଛି । ଯାହାକୁ ନେଇ ୟୁଜିସି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ମୁଖ୍ୟ ମାନଙ୍କୁ ନେଇ ଏକ ବୈଠକ ଡାକିଛି ।
ତେବେ ଏହି ସେଲର ପ୍ରମୁଖ କାର୍ଯ୍ୟ ରହିବ କିଭଳି ବାସ୍ତବ ସତ୍ୟ ପଦାକୁ ଆସିପାରିବ । କାରଣ କିଛି ଛାତ୍ରଛାତ୍ରୀ ନିଜ ବ୍ୟକ୍ତଗତ ସ୍ୱାର୍ଥ ପାଇଁ ରାଗିଂ ଭଳି ମିଛ ଅଭିଯୋଗ କରିଥିବା ପୂର୍ବରୁ ନଜର ରହିଛି । ରାଗିଂର ଶିକାର ହେଉଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ୨୦୧୭ ମସିହାରେ ମାନବ ସମ୍ଭଳ ମନ୍ତ୍ରଣାଳୟ ପକ୍ଷରୁ ଏକ ମୋବାଇଲ ଆପ ଜାରି ହୋଇଥିଲା । ଯାହା ମାଧ୍ୟମରେ ପୀଡିତ ଅଭିଯୋଗ କରିପାରିବ ।