ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ ଟିକେଟ ବୁକିଂ ଏବଂ ରିର୍ଜଭେସନ ଚାର୍ଟକୁ ନେଇ ବଡ ପରିବର୍ତ୍ତନ କରାଯାଇଛି । ଆଜିଠାରୁ ଏହି ପରିବର୍ତ୍ତନ ଲାଗୁ ହେଉଛି । ଏଣିକି ଟ୍ରେନ ଷ୍ଟେସନରୁ ବାହାରିବାର ୩୦ ମିନିଟ ପୂର୍ବରୁ ଯାତ୍ରୀ ଟିକେଟ ବୁକିଂ କରିପାରିବେ ।
କରୋନା କାଳରେ ଚାଲୁଥିବା ସ୍ପେଶାଲ ପାସେଞ୍ଜର ଟ୍ରେନ ପାଇଁ ପ୍ରଥମ ଟିକେଟ ରିର୍ଜଭେସନ ଚାର୍ଟ ପାଖାପାଖି ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯାଉଥିଲା । କିନ୍ତୁ ଦ୍ୱିତୀୟ ରିର୍ଜଭେସନ ଚାର୍ଟର ସମୟକୁ ପରିବର୍ତ୍ତନ କରାଯାଇଥିଲା । ଦ୍ୱିତୀୟ ରିର୍ଜଭେସନ ଚାର୍ଟର ସମୟକୁ ବଢାଯାଇ ୨ ଘଣ୍ଟା କରାଯାଇଥିଲା । ଅର୍ଥାତ କରୋନା କାଳରେ ଚାଲୁଥିବା ଟ୍ରେନ ପାଇଁ ଟ୍ରେନର ପ୍ରସ୍ଥାନ ସମୟ ଠାରୁ ଦୁଇ ଘଣ୍ଟା ପୂର୍ବରୁ ହିଁ ଚାର୍ଟ ପ୍ରସ୍ତୁତ କରାଯାଉଥିଲା ।
ଏବେ ଏହି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଏଣିକି ଟ୍ରେନ ଷ୍ଟେସନରୁ ବାହାରିବାର ୩୦ ମିନିଟ ପୂର୍ବରୁ ରିର୍ଜଭେସନ ଚାର୍ଟ ପ୍ରସ୍ତୁତ ଆରମ୍ଭ ହେବ ଏବଂ ପ୍ରସ୍ଥାନର ୫ ମିନିଟ୍ ପୂର୍ବରୁ ପ୍ରସ୍ତୁତ ଶେଷ ହେବ । ଏହି ପରିବର୍ତ୍ତନ ସହିତ ଯାତ୍ରୀଙ୍କୁ ଟିକେଟ ବୁକିଂ ପାଇଁ ଅଧିକ ସମୟ ମିିଳିଯିବ । ଅର୍ଥାତ ଏଣିକି ଟ୍ରେନ ଯାତ୍ରା କରିବାର ୩୦ ମିନିଟ ପୂର୍ବରୁ ଯାତ୍ରୀ ଟିକେଟ ବୁକିଂ କରି ପାରିବେ । କରୋନା ପାଇଁ ଦୁଇ ଘଣ୍ଟା ପୂର୍ବରୁ ଚାର୍ଟ ପ୍ରସ୍ତୁତ କରାଯାଉଥିଲା ଏହାପରେ ଆଉ ଟିକେଟ ବୁକିଂ ହୋଇ ପାରୁନଥିଲା । କିନ୍ତୁ ଏବେ ଟ୍ରେନ ପ୍ରସ୍ଥାନ ସମୟର ୩୦ ମିନିଟ ପୂର୍ବ ପର୍ଯ୍ୟନ୍ତ ଟିକେଟ ବୁକିଂ କରାଯାଇ ପାରିବ ।
ରେଲବାଇର ଏହି ପରିବର୍ତ୍ତନର ସୁବିଧା ସେହି ଯାତ୍ରୀଙ୍କୁ ହେବ, ଯେଉଁମାନେ ଅଚାନକ୍ ଯାତ୍ରା ପାଇଁ ବାହାରନ୍ତି । ଏଭଳି ଯାତ୍ରୀଙ୍କ ପାଇଁ ଟ୍ରେନ୍ ଛାଡିବାର ୩୦ ମିନିଟି ପୂର୍ବ ପର୍ଯ୍ୟନ୍ତ ଅନଲାଇନ ଏବଂ ପିଆରଏସ ଟିକେଟ କାଉଣ୍ଟରରେ ଟିକେଟ ବୁକିଂର ସୁବିଧା ଉପଲବ୍ଧ ହେବ ।