ମୁମ୍ବାଇ (ଏଟିଆର ବ୍ୟୁରୋ): ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟ ଜଗତରୁ ଅବସର ଘୋଷଣା କରିବାର କିଛି ସମୟ ମଧ୍ୟରେ ସୁରେଶ ରାଇନା ମଧ୍ୟ ନିଜର ଅବସର ଘୋଷଣା କରିଛନ୍ତି । ଧୋନିଙ୍କର ଅବସର ଖବର ପ୍ରଶଂସକ ବିଶ୍ୱାସ କରିପାରୁ ନଥିବା ବେଳେ ଏହାକୁ ଅଚାନକ ରାଇନାଙ୍କର ଅବସର ଖବର ପ୍ରଶଂସକଙ୍କ ମଧ୍ୟରେ ନିରାଶା କରି ଦେଇଛି । ଦୀର୍ଘଦିନ ହେବ ରାଇନା ଖରାପ ଫର୍ମରେ ଥିବାରୁ ସେ ବିଭିନ୍ନ ମ୍ୟାଚରୁ ବାଦ ପଡିଥିଲେ ।
ତେବେ ରାଇନା ଅନ୍ତର୍ଜାତୀୟ ମ୍ୟାଚରୁ ଅବସର ନେଇଥିଲେ ମଧ୍ୟ ପୂର୍ବଭଳି ଆଇପିଏଲ ମ୍ୟାଚ ଖେଳିବା ନେଇ ଜରାପଡିଛି । ରାଇନାଙ୍କର ଅବସର ଖବର ତାଙ୍କ ପ୍ରଶଂସକଙ୍କ ମନରେ ନିରାଶାର କାରଣ ପାଲଟିଛି । ଧୋନିଙ୍କ ଭଳି ରାଇନା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଅବସର ଘୋଷଣା କରିବା ସହ କହିଛନ୍ତି, ମାହିଙ୍କ ସହ ଖେଳିବା ମୋ ପାଇଁ ଗର୍ବର ବିଷୟ ଥିଲା । ଧୋନିଙ୍କ ଯାତ୍ରାରେ ମୁଁ ବି ସାମିଲ ହେଉଛି କହି ସମସ୍ତଙ୍କୁ ଧନ୍ୟବାଦ ଓ ଜୟ ହିନ୍ଦ ଜଣାଇଛନ୍ତି ।
ତେବେ ରାଇନା ନିଜର କ୍ୟାରିୟର ୨୦୦୫ ଜୁଲାଇ ୩୦ରେ ଶ୍ରୀଲଙ୍କା ବିପକ୍ଷରେ ଖେଳି ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିବା ବେଳେ ୨୦୧୮ ଜୁଲାଇ ୧୭ ଇଂଲଣ୍ଡ ବିପକ୍ଷରେ ସେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ । ତେବେ ରାଇନା ଟେଷ୍ଟରେ ୨୦୧୦ ଜୁଲାଇ ୨୬ରେ ଡେବ୍ୟୁ କରିଥିଲେ । ସେହିପରି ୨୦୦୬ରେ ରାଇନା ନିଜର ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ । ଧୋନି ଓ ରାଇନା ଗୋଟିଏ ଦିନରେ ଅବସର ନେଉଥିବାରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ଧୋନୀ ଏବଂ ସୁରେଶ ରୈନା ଗୋଟିଏ ଦିନରେ କ୍ରିକେଟରୁ ଅବସର ନେଇ ପ୍ରଶଂସକଙ୍କୁ ଆଶ୍ଚର୍ୟ୍ୟ କରିଦେଇଛନ୍ତି । ଏହା ଏକ ଯୁଗର ଶେଷ ହୋଇଛି ।