ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ); ସୋମବାର ଉତ୍ତରପ୍ରଦେଶର ଲକ୍ଷେ୍ନାରେ ରୋଡ ସୋ କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । କଂଗ୍ରେସ ମହା ସଚୀବ ଭାବରେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଲାଗି ରୋଡ ସୋ କରିବେ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ଏହି ମହାରାଲିରେ ଯୋଗ ଦେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶର ପ୍ରଭାରୀ ଜୋତିରାଦିତ୍ୟ ସିନ୍ଧିଆ । ଏହି ସଭାରେ ହେବିୱେଟ ନେତାଙ୍କୁ ସମ୍ବର୍ଦ୍ଦିତ କରାଯିବ । ଏବଂ ଏହି ମହାରାଲି ୪ଦିନ ଧରି ଚାଲିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆ ଯାଇଛି ।
ଉତ୍ତରପ୍ରଦେଶରେ ଭୋଟରଙ୍କ ମନ ମୋହିବା ପାଇଁ ପ୍ରିୟଙ୍କା ଚେଷ୍ଠା କରିବେ । ତେବେ କେନ୍ଦ୍ରରେ କଂଗ୍ରେସ ପୁନର୍ବାର ସରକାରରେ ଆସିବା ପାଇଁ ରାହୁଲ ଏବଂ ପ୍ରିୟଙ୍କା ଉଭୟ ନୂଆ ଗେମ ପ୍ଳାନ କରିବେ । ସମସ୍ତ ବର୍ଗର ଭୋଟ ବ୍ୟାଙ୍କ ହାତେଇବା ପାଇଁ ଚେଷ୍ଠା କରିବେ । ସେପଟେ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କୁ ବିଭିନ୍ନ ଯୋଜନାକୁ ସମାଲୋଚନା କରିବ କଂଗ୍ରେସ । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ କଂଗ୍ରେସ ପ୍ରିୟଙ୍କା କାର୍ଡ ଖୋଲିଛି । ଏଠାରେ ଭୋଟ ହାତେଇବାକୁ କଂଗ୍ରେସ ପ୍ଲାନ ପ୍ରସ୍ତୁତ କରିଛି ।
ଉତ୍ତରପ୍ରଦେଶରେ ପ୍ରିୟଙ୍କା ନାମରେ ଦଳୀୟ କର୍ମୀମାନେ ପ୍ରିୟଙ୍କା ସେନା ଗଠନ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ୪ଦିନ ଧରି ପ୍ରିୟଙ୍କା ବିଭିନ୍ନ ସ୍ଥାନରେ ରୋଡ ସୋ କରିବା ସହ ଦଳୀୟ କର୍ମୀଙ୍କୁ ଗୁରୁଜ୍ଞାନ ମଧ୍ୟ ଦେବେ । ଆସନ୍ତା ୧୪ ତାରିଖରେ ନିର୍ବାଚନ ନେଇ ଏକ ବୈଠକ ବି ହେବ । କୁହାଯାଇଛି, ଏହି ୪ ଦିନିଆ ଗସ୍ତ ପରେ ସେ ପ୍ରାୟ ଏକମାସବ୍ୟାପୀ ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀରେ ସଭା ଓ ରୋଡ ଶୋ କରିବେ । ଗସ୍ତ ପୂର୍ବରୁ ପ୍ରିୟଙ୍କ ଏକ ଅଡିଓ ଟେପ ବି ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି, ସମସ୍ତେ ମିଶି ଉତ୍ତରପ୍ରଦେଶକୁ ବଦଳାଇବା ।
ନିକଟରେ ପାଞ୍ଚଟି ରାଜ୍ୟରେ ବିଧାନସଭାରୁ କଂଗ୍ରେସ ୩ଟି ରାଜ୍ୟରେ ସରକାର ଗଢ଼ିଛି । ଏଣୁ କଂଗ୍ରେସ କେନ୍ଦ୍ରରେ ସରକାର ଗଢ଼ିବା ପାଇଁ କଳ ଏବଂ ବଳ ପ୍ରୟୋଗ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ମୁଖ୍ୟତଃ ଚାଷୀଙ୍କ ଭୋଟ ବ୍ୟାଙ୍କ ହାତେଇବା ପାଇଁ ଚେଷ୍ଠା କରିବ । କାରଣ ନିକଟରେ ୩ଟି ରାଜ୍ୟରେ ଚାଷୀ ଋଣ ଛାଡ କରିବା ସହ ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛି କଂଗ୍ରେସ ସରକାର । ଓଡିଶାରେ ମଧ୍ୟ କଂଗ୍ରେସ ସରକାରକୁ ଆସିଲେ ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବ ବୋଲି ପ୍ରତିଶ୍ରୃତି ଦେଇଛି ।