ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୀତ ଲହରୀରେ ଘନ କୁହୁଡି ନେଉଛି ଜୀବନ । ବଢି ଚାଲିଛି ଦୁର୍ଘଟଣା । ମାତ୍ର ଗୋଟେ କି ଦୁଇଟି ନୁହେଁ ବରଂ ଏକାସଙ୍ଗେ ୫୦ଟି ଗାଡି ଦୁର୍ଘଟଣାଗସ୍ତ ଘଟିଛି । କିଛି ବୁଝିବା ଆଗରୁ ପଛକୁ ପଛ ପିଟି ହୋଇଥିଲା ଏହି ୫୦ଟି ଗାଡି । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଘଟଣାଟି ଉତ୍ତର ଭାରତ ହରିୟାଣା ଝଜରର ୭୧ ନମ୍ବର ଜାତୀୟ ରାଜପଥରେ ଘଟିଛି ।
ଖବର ମୁତାବକ, ଦୁର୍ଘଟଣାଟି ଭୋର ସମୟରେ ଘଟିଛି । ପ୍ରବଳ ଜାଡରେ ସମଗ୍ର ଦେଶ ଥରୁଥିବା ବେଳେ ଚାରିଆଡେ ଖାଲି ଘନକୁହୁଡିର ଧୂଆଁ ବଳୟ । ଏହି କୁହୁଡି ଯୋଗୁଁ ଚାଲିଯାଇଛି ଗୋଟିଏ ପରିବାରର ୮ଟି ମୂଲ୍ୟବାନ ଜୀବନ । ହରିଆଣାର କିଡୌତରେ ରହୁଥିବା ଏକ ପରିବାର ଏସୟୁବି ଗାଡି ଯୋଗେ ସମ୍ପର୍କୀୟ ଘରକୁ ବୁଲିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଦୁର୍ଘଟଣାରେ ସରକାରଙ୍କ ତରଫରୁ ମୃତ ବ୍ୟକ୍ତିଙ୍କ ପାଇଁ ଦୁଇ ଲକ୍ଷ ଏବଂ ଆହତଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଆଜି ଭୋରୁ ହରିଆଣା,ଦିଲ୍ଲୀ,ପଞ୍ଜାବ,ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପ୍ରବଳ କୁହୁଡି ପଡିଥିଲା । ପାଖାପାଖି ୫୦୦ ମିଟର ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନଥିଲା ।